କାଳ ସାଜିଲା ସୁନ୍ଦର ହସ ପାଇଁ ସର୍ଜରୀ । ଅସ୍ତ୍ରୋପଚାର ସମୟରେ ଚାଲିଗଲା ଯୁବକଙ୍କ ଜୀବନ

724

କନକ ବ୍ୟୁରୋ: ବାହାଘର ହେବ, ତେଣୁ ବର ବେଶରେ ଅଧିକ ଭଲ ଦେଖାଯିବାକୁ ଭାରି ଇଚ୍ଛା କରିଥିଲେ ହାଇଦ୍ରାବାଦର ଲକ୍ଷ୍ମୀନାରାୟଣ । ସେଥିପାଇଁ ପୋଷାକ ପରିଧାନଠୁ ନେଇ ସବୁ କିଛି ପ୍ରସ୍ତୁତ କରିଥିଲେ । କିନ୍ତୁ ଅସଜଡା ଦାନ୍ତକୁ ସଜାଡିଦେଲେ ହୁଏତ ଅଧିକ ଭଲ ଦିଶିବେ ବୋଲି ସେ ସର୍ଜରୀ କରିବାକୁ ଚିନ୍ତା କଲେ । ସେଥିପାଇଁ ଏକ ଘରୋଇ ଡେଣ୍ଟାଲ କ୍ଲିନିକ ସହ ଯୋଗାଯୋଗ କଲେ । ଡାକ୍ଟର ତାଙ୍କୁ ଏକ ନିର୍ଦ୍ଧିଷ୍ଟ ଦିନ ଓ ସମୟ ଦେଇଥିଲେ ସର୍ଜରୀପାଇଁ । ସ୍ମାଇଲିଂ ସର୍ଜରୀ ପାଇଁ ଲକ୍ଷ୍ମୀନାରାୟଣ ଡେଣ୍ଟାଲ କ୍ଲିନିକକୁ ଗଲେ କିନ୍ତୁ ଆଉ ଫେରିଲେନି । ସର୍ଜରୀ ସମୟରେ ତାଙ୍କର ମୃତ୍ୟୁ ଖବର ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଖ ମଧ୍ୟ ଦେଇଛି ।

ହସ ଛଡ଼ାଇନେଲା ‘ସ୍ମାଇଲିଂ ସର୍ଜରୀ’

  • ଫେବ୍ରୁଆରୀ ୧୬ ତାରିଖରେ ହାଇଦ୍ରାବାଦ ଫେଏମଏସ୍ ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକ ଯାଇଥିଲେ ଲକ୍ଷ୍ମୀ ନାରାୟଣ ।
  • ଅପରାହ୍ନରେ ଲକ୍ଷ୍ମୀ ନାରାୟଣଙ୍କ ସର୍ଜରୀ କରାଯାଇଥିଲା
  • ଘରକୁ ଫେରିବାରେ ବିଳମ୍ବ ହେବାକୁ ପରିବାର ଡାକ୍ତରଖାନା ସହ ଯୋଗାଯୋଗ କରିଥିଲେ
  • ଲକ୍ଷ୍ମୀନାରାୟଣ ବେହୋସ ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିବା କ୍ଲିନିକ ପକ୍ଷରୁ ସୂଚନା ଦିଆଯାଇଥିଲା
  • ପରିବାର ଲୋକ ସେଠାରେ ପହଞ୍ଚି ଲକ୍ଷ୍ମୀନାରାୟଣଙ୍କ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ

ଆଉ ବାସ କିଛି ଦିନ ପରେ ବାହାବେଦୀରେ ବସିଥାନ୍ତେ ୨୮ବର୍ଷୀୟ ଲକ୍ଷ୍ମୀନାରାୟଣ କିନ୍ତୁ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି । ପରିବାର ଡେଣ୍ଟାଲ କ୍ଲିନିକ ବିରୋଧରେ ଅଭିଯୋଗ ଆଣି ମାମଲା ରୁଜୁ କରିଛନ୍ତି । ଅତ୍ୟଧିକ ଆନାସ୍ତେସିଆ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଏଥିସହ କହିଛନ୍ତି ପୁଅ ସମ୍ପୂର୍ଣ୍ଣ ସୁସ୍ଥ ଥିଲା । ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ଡାକ୍ତରଖାନାର ଅବହେଳା ଯୋଗୁଁ ପୁଅର ଅକାଳରେ ମୃତ୍ୟୁ ହୋଇଛି ।