ପରିବାର ସହ ପୁରୀ ଆସି ବଡ଼ଦାଣ୍ଡରେ ହଜିଯାଇଥିଲେ ରାହୁଲ। ବିମଳା ମନ୍ଦିର ନିକଟରୁ ହୋଇଥିଲେ ଉଦ୍ଧାର।

311

କନକ ବ୍ୟୁରୋ: ଦଶବର୍ଷର ରାହୁଲକୁ ସବୁବେଳେ ସାହା ହୋଇଛି କାଳିଆ । କେବଳ ବୋରୱେଲରେ ପଡିବା ଘଟଣା ନୁହେଁ ପୂର୍ବରୁ ମଧ୍ୟ ରାହୁଲ ସହ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ୫ ବର୍ଷ ତଳେ ଯେତେବେଳେ ରାହୁଲ ୫ ବର୍ଷର ଥିଲେ ସେତେବେଳେ ପୁରୀ ରେ ଏହି ଘଟଣା ଘଟିଥିଲା ।

୨୦୧୭ରେ ପୁରୀ ବୁଲିବାକୁ ଆସିଥିଲେ ରାହୁଲ ସାହୁଙ୍କ ପରିବାର । ବାପା, ମାଆଙ୍କ ସହ ବଡଦାଣ୍ଡରେ ବୁଲୁଥିଲେ । ବଡଦାଣ୍ଡରେ ଗହଳି ବି ଥିଲା । ବାପା, ମାଆଙ୍କ ଦୃଷ୍ଟିକ୍ଷଣିକ ପାଇଁ ଅନ୍ୟଆଡେ ଚାଲିଯାଇଥିଲା । ଆଉ ଏପଟେ ହାତଧରି ଠିଆହୋଇଥିବା ୫ ବର୍ଷର ରାହୁଲ ହାତଖସାଇ କୁଆଡେ ଗାଏବ ହୋଇଗଲା । ବାପା, ମାଆ ହଠାତ ଦେଖିଲେ ରାହୁଲ ନାହିଁ । ଚାରିପଟେ ଆଖିବୁଲାଇଲେ ହେଲେ କୁଆଡେ ପୁଅ ଦେଖାଯାଉନଥିଲା । ସହଜରେ ଗହଳି ବି ଥିଲା, ଆଉ ସେମାନଙ୍କ ପାଇଁ ପୁରୀ ବି ସମୂର୍ଣ୍ଣ ନୂଆ ଥିଲା । ଚାରିଆଡେ ଖୋଜିଲେ, କିନ୍ତୁ ପାଇଲେ ନାହିଁ । ଆଖପାଖ ଦୋକାନୀଙ୍କୁ ପଚାରିଲେ କିନ୍ତୁ କେହି କିଛି କହିପାରିଲେ ନାହିଁ ।

ପୁଅ ପୁରୀକୁ ଜଗାଦର୍ଶନ ପାଇଁ ଆସି କେଉଁଆଡେ ଗଲା, ତାହା ଭାବି ରାହୁଲର ବାପା ମାଆ ମୁଣ୍ଡରେ ଚଡକ ପଡିଯାଇଥିଲା । ଆଉ ଏକ ବଡ ଚିନ୍ତାର କାରଣ ଥିଲା, ସେ ମୂକ ଓ ବଧିର ଥିଲେ । ସେ କଥା କହିପାରୁନଥିଲେ କି ଶୁଣିପାରୁନଥିଲେ । ଏଭଳି ଅବସ୍ଥାରେ ତାଙ୍କୁ ଖୋଜିବା ଆଉ ଏକ ବଡ ଚିନ୍ତାର କାରଣ ପାଲଟିଯାଇଥିଲା ।

କଥାରେ ଅଛି ରଖେ ହରି ମାରେ କିଏ । ଯଦି ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ତେବେ କଣ ବା ହବ । ଖୋଜି ଖୋଜି ବାପା ମା ନୟାନ୍ତ ହେବା ପରେ ମନ୍ଦିର ଭିତରେ ଆସିଖୋଜିଥିଲେ । ଆଉ ହଠାତ ବିମଳା ମନ୍ଦିର ଆଗରେ ସେହିଭଳି ଏକ ପିଲା ଠିଆହୋଇଥିଲା । ପାଖକୁ ଯାଇ ଦେଖନ୍ତି ତ ସେ ରାହୁଲ ଥିଲା । ବାପା, ମାଆଙ୍କ ଆଖିରେ ପାଣି ଆସିଗଲା । ଆଉ ଜଗାକୁ ମୁଣ୍ଡିଆ ମାରିଥିଲେ । କାରଣ, ରାହୁଲ ମିଳିଯାଇଥିଲା ।

ଏହି ଘଟଣାର ୫ ବର୍ଷ ପରେ ପୁଣି ବୋରୱେଲରେ ଖସିପଡିଲେ ରାହୁଲ । ଏଭଳି ଅବସ୍ଥାରେ ଥିଲେ ଯେଉଁଠାରୁ ଜୀବନ୍ତ ଫେରାଇଆଣିବା ଏକପ୍ରକାର ଅସମ୍ଭବ ମନେହେଉଥିଲା । କିନ୍ତୁ ରାହୁଲକୁ ସାହା ହୋଇଥିଲେ କାଳିଆ । ଆଉ ଜୀବନ ବଞ୍ଚାଇ ଫେରିଆସିଥିଲା ରାହୁଲ ।