ନିର୍ବାଚନ ପୂର୍ବରୁ ସରଗରମ ଆମେଠି । ରାହୁଲଙ୍କ ନ୍ୟାୟ ଯାତ୍ରାକୁ ସ୍ମୃତିଙ୍କ ଜନସଭା

367

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ସରଗରମ ଆମେଠି । ସୋମବାର ଦେଖିବାକୁ ମିଳିଛି ରାଜନୀତିର ରୋଚକ ଦୃଶ୍ୟ । ୨୦୧୯ର ପରମ ପ୍ର୍ତଦ୍ୱନ୍ଦ୍ୱି ସ୍ମୃୁତି ଇରାନୀ ଓ ରାହୁଲ ଗାନ୍ଧୀଙ୍କୁ ଆମେଠିରେ ଦେଖିବାକୁ ମିଳିଛି । ଗୋଟେପଟେ ରାହୁଲ ନ୍ୟାୟ ଯାତ୍ରା ସହ ଆମେଠିରେ ଏଟ୍ରିଂ କରିଥିବାବେଳେ ସେପଟେ ଜନସଭା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃୁତି ଇରାନୀ । ଏହା ଭିତରେ ଉଭୟଙ୍କୁ ନେଇ ବଢିଛି ଚର୍ଚ୍ଚା ।

  • ନିର୍ବାଚନ ପୂର୍ବରୁ ଜୋରଧରିଲା ଚର୍ଚ୍ଚା
  • ଆମେଠିରେ ମୁହାଁମୁହିଁ ସ୍ମୃତି, ରାହୁଲ!
  • ପୁଣି ହେବେ କି ପ୍ରତିଦ୍ୱନ୍ଦ୍ୱି?

ଲୋକସଭା ନିର୍ବାଚନ ପାଇଁ ଆମେଠିରେ ସରଗରମ ରାଜନୀତି । ପୁଣି ଥରେ ଏହି ଆସନରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ହେବିୱେଟ୍ ନେତା ରାହୁଲ ଗାନ୍ଧୀ ଓ ସ୍ମୃତି ଇରାନୀ । ସୋମବାର ଉଭୟ ନେତା ଆମେଠିରେ ଉପସ୍ଥିତ ଅଛନ୍ତି । କୁହାଯାଉଛି କି ଆମେଠି ଆସନକୁ ଅକ୍ତିଆର କରିବା ପାଇଁ ଉଭୟ ନେତା ନିଜ ନିଜ ହିସାବରେ ଜନତାଙ୍କ ନିକଟରେ ପହଁଚିବା ଆରମ୍ଭ କରିଛନ୍ତି ।

ଯଦିଓ କଂଗ୍ରେସ ଓ ବିଜେପି ପକ୍ଷରୁ ଆମେଠିର ପ୍ରାର୍ଥୀ କିଏ ହେବେ ସେ ନେଇ କୌଣସି ଔପଚାରିକ ଘୋଷଣା କରାଯାଇନି ତଥାପି ଏଠାକାର ମାହୋଲ ସେଭଳି କିଛି ଇଙ୍ଗିତ କରୁଛି । ସୋମବାରଠୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ୪ଦିନିଆଗସ୍ତରେ ଆସି ଆମେଠିରେ ପହଁଚିଛନ୍ତି । ସେପଟେ କଂଗ୍ରେସର ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ପହଁଚିଛନ୍ତି ।
ଦୁଇ ନେତାଙ୍କ ମାରାଥନ ଗସ୍ତ ପରେ ଚଳିତ ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଲଢ଼େଇ ନେଇ ଚର୍ଚ୍ଚା ବଢ଼ିଛି । କୁହାଯାଉଛି ଗୋଟିଏ ପଟେ ନିଜ ପୁରୁଣା ଗଡ଼ ଜିତିବାକୁ ଅଂଟା ଭିଡ଼ିଛନ୍ତି ରାହୁଲ । ଅନ୍ୟପଟେ ପୁଣି ଥରେ ବିଜୟ ଆଶାରେ ସ୍ମୃତି ଇରାନୀ କସରତକୁ ଜୋରଦାର କରୁଥିବା କୁହାଯାଉଛି ।

ଆମେଠିରେ ସ୍ମୃତି ବନାମ ରାହୁଲ!

  • ଆମେଠିରୁ ୩ ଥର ଲୋକସଭା ଆସନ ଜିତିଛନ୍ତି ରାହୁଲ
  • ୨୦୦୪, ୨୦୦୯, ୨୦୧୪ରେ ବିଜୟୀ ହୋଇଛନ୍ତି
  • ୨୦୧୯ରେ ପ୍ରଥମ ଥର ପାଇଁ ଆମେଠିରୁ ପରାସ୍ତ ହୋଇଥିଲେ ରାହୁଲ
  • ରାହୁଲଙ୍କୁ ପରାସ୍ତ କରିଥିଲେ ସ୍ମୃତି ଇରାନୀ
  • ୨୦୨୪ରେ ଗଡ଼ ଜିତିବାକୁ ମୈଦାନରେ ଦୁଇ ନେତାଙ୍କ କସରତ

କୁହାଯାଏ ଆମେଠି ଓ ରାଏବରେଲୀ କଂଗ୍ରେସର ଗଡ । କ୍ରମାଗତ ଭାବେ ରାହୁଲ ଓ ସୋନିଆ ଦୁଇଟି ଆସନରୁ ବିଜୟୀ ହେଉଛନ୍ତି । ତେବେ ୨୦୧୯ରେ ରାହୁଲଙ୍କୁ ହରାଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ୫ବର୍ଷ ପରେ ପୁଣି ସେହି ମୌକା ଆସିବାକୁ ଯାଉଛି ଯେଉଁଥିରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ କଳେବଳେ କୌଶଳେ ଚେଷ୍ଟା କରିବେ ରାହୁଲ । ଅପେକ୍ଷା ରହିଲା ଏହି ବହୁ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ପୁରୁଣା ଚେହେରାଙ୍କ ଦୋହରାଇବେ ନା ଆଉ କିଏ ନୂଆ ଚେହେରା ଆମେଠି ଆସନ ପାଇଁ ଛିଡା ହେବେ ।