୨୦୨୪ ପାଇଁ କର୍ମୀଙ୍କୁ ମୋଦୀଙ୍କ ବିଜୟମନ୍ତ୍ର । କହିଲେ ଆଗାମୀ ୧୦୦ ଦିନ ଗୁରୁତ୍ୱପୂର୍ଣ୍ଣ । ମୋଦୀଙ୍କ ଦମ୍ଭୋକ୍ତି, ବିଜେପି ହାତେଇବ ୩୭୦ ଆସନ

131

କନକ ବ୍ୟୁରୋ: ଅବ୍ କି ବାର୍ ୪୦୦ ପାର୍ । ଏହି ନାରା ନେଇ ବିଜେପି ଦେଇଛି ରଣହୁଙ୍କାର । ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ଦଳର ଜାତୀୟ ବୈଠକରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ସହ ବିଜେପି ପୁଣି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋଦୀ । ବିରୋଧୀ ଦଳକୁ ଭର୍ତ୍ସନା କରି ମୋଦୀ କହିଛନ୍ତି, କଂଗ୍ରେସ ସବୁବେଳେ ଦେଶ ବିଭାଜନର କଥା କହିଥାଏ । ୟୁପିଏର ୧୦ ବର୍ଷ ଭିତରେ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇଥିଲା । ହେଲେ ବିଜେପି ଦେଶରେ ଯେଉଁ ବିକାଶର କାମ କରୁଛି ତାହା ସାରା ବିଶ୍ୱ ଦେଖିଛି ।

  • ଲୋକସଭା ନିର୍ବାଚନ ପାଇଁ ବିଜେପିର ମେଗା ପ୍ଲାନ୍
  • କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ମୋଦୀ
  • କହିଲେ ଆଗାମୀ ୧୦୦ ଦିନ ଗୁରୁତ୍ୱପୂର୍ଣ୍ଣ

ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଆଉ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ଭାରତୀୟ ଜନତା ପାର୍ଟି । ନିର୍ବାଚନକୁ ନେଇ କେମିତି ପ୍ରସ୍ତୁତ ହେବେ, ସେନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଥିବା ବିଜେପିର ଦ୍ୱି-ଦିବସୀୟ ଜାତୀୟ ସମ୍ମିଳନୀ ରବିବାର ମୋଦୀଙ୍କ ଅଭିଭାଷଣ ସହ ଶେଷ ହୋଇଛି । ଆଉ ଏହି ଅବସରରେ ନିଜ କର୍ମୀଙ୍କ ଉତ୍ସାହ ବଢାଇଛନ୍ତି ମୋଦୀ ।

ମୋଦୀ କହିଛନ୍ତି ଆଗାମୀ ୧୦୦ ଦିନ ଆମ ସମସ୍ତଙ୍କ ପାଇଁ ଗୁୁରୁତ୍ୱପୂର୍ଣ୍ଣ । ଦଶ ବର୍ଷ କ୍ଷମତାରେ ରହିବା ପରେ ଏବେ ପୁଣି ୨୪ ନିର୍ବାଚନରେ ବାଜି ମାରିବା ପାଇଁ ବିଜେପି ନୂଆ ଫର୍ମୁଲା ଆପଣାଇଛି । ଏନେଇ ଆଗାମୀ ୧୦୦ ଦିନ ନୂଆ ଉତ୍ସାହ, ନୂଆ ଶକ୍ତି, ନୂଆ ଆଶା ସହ କାମ କରିବା ପାଇଁ ନେତା ଓ କର୍ମୀଙ୍କୁ ଉପଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୦୦ ଦିନର କାମ ଦଳୀୟ କର୍ମୀଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କର୍ମୀଙ୍କୁ ୧୦୦ ଦିନର କାର୍ଯ୍ୟଭାର

  • ଆଗାମୀ ୧୦୦ ଦିନ ୨୪ଘଣ୍ଟ କାମ କରିବେ ପ୍ରତ୍ୟେକ ବିଜେପି କର୍ମୀ
  • ୧୦୦ ଦିନ ଧରି ଜନସମ୍ପର୍କ ଯାତ୍ରା କରିବ ଦଳ
  • ପ୍ରତ୍ୟେକ ବୁଥ ବୁଲି ଲୋକଙ୍କ ପାଖରେ ପହଁଚିବେ ଦଳୀୟ କର୍ମୀ
  • କର୍ମୀଙ୍କୁ ପ୍ରତ୍ୟେକ ବୁଥ୍ରେ ୩୭୦ଟି ଭୋଟ୍ ବଢାଇବାକୁ ହେବ
  • ବିଜେପି ସରକାରର ୧୦ ବର୍ଷର ଉପଲବ୍ଧି ଲୋକଙ୍କ ଘରେ ଘରେ ପହଁଚାଇବେ କର୍ମୀ

ଜାତୀୟ ସମ୍ମିଳନୀରେ ମୋଦୀ କହିଛନ୍ତି, ଏନଡିଏ ସରକାର ୪୦୦ ଆସନ ହାତେଇବ ବୋଲି ମତେ କହୁଛନ୍ତି । ମାତ୍ର ମୁଁ ଗ୍ୟାରେଣ୍ଟି ଦେଉଛି ବିଜେପି କେବଳ ୩୭୦ ଆସନରେ ବିଜୟ ହାସଲ କରିବ । ଗତ ୧୦ ବର୍ଷରେ ଦେଶ ଯେଉଁ ବିକାଶ କରିଛି ତାହା ଲୋକ ଦେଖିଛନ୍ତି । ଲୋକଙ୍କ ବିଶ୍ୱାସ ଆମେ ଜିତିଛୁ । ଆଉ ସୋମାନେ ଆମକୁ ପୁଣିଥରେ କ୍ଷମତା ଗାଦିରେ ବସାଇବେ ।

  • କଂଗ୍ରେସକୁ ଭର୍ତ୍ସନା, ବିରୋଧୀଙ୍କ ନିନ୍ଦା
  • ଜାତୀୟ ସମ୍ମିଳନୀରେ ବର୍ଷିଲେ ମୋଦୀ

ଆଗାମୀ ନିର୍ବାଚନରେ ବିଜୟ ପାଇଁ ବିରୋଧୀଙ୍କ ସବୁ ଯୋଜନା କିପରି ପଣ୍ଡୁର ହେବ ସେନେଇ ମଧ୍ୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ମୋଦୀ । ସେ କହିଛନ୍ତି, ବିରୋଧୀ ଦଳ ଯୋଜନା କରିବା ଜାଣନ୍ତି, ପ୍ରତିଶ୍ରୁତି ଦେବା ଜାଣନ୍ତି, ମାତ୍ର ତାହା କିପରି ପୂରଣ ହେବ ତାହା ଜାଣନ୍ତି ନାହିଁ । ଆଜି ସବୁ ବିରୋଧୀ ଦଳ ବିକଶିତ ଭାରତକୁ ନେଇ ପ୍ରତିଶ୍ରୁତି ଦେବାକୁ ଡରୁଛନ୍ତି । କିନ୍ତୁ ଭାରତୀୟ ଜନତା ପାର୍ଟି ଆଗାମୀ ୨୦୪୭ ପର୍ଯ୍ୟନ୍ତ ଭାରତ ବିକଶିତ ଦେଶ ହୋଇଥିବାର ଗ୍ୟାରେଣ୍ଟି ଦେଉଛି ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଏହା ରଣହୁଙ୍କାର ଥିଲା । ଦିଲ୍ଲୀରେ ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ନେତା କର୍ମୀ ଏକାଠି ହୋଇଥିଲେ । ଆଉ ଏହିଠାରୁ ହିଁ ଆଗାମୀ ଲୋକସଭା ନିର୍ବାଚନରେ ବିଜୟର ରୋଡ୍ ମ୍ୟାପ ପ୍ରସ୍ତୁତ କରିଛି ବିଜେପି । ମୋଦୀଙ୍କ ସହ ଅମିତ ଶାହା, ଜେପି ନଡ୍ଡାଙ୍କ ଭଳି ବହୁ ବରିଷ୍ଠ ବିଜେପି ପଦାଧିକାରୀ କର୍ମୀଙ୍କ ଉତ୍ସାହ ବଢାଇଛନ୍ତି ।