ନିର୍ଜୀବ ବସ୍ତୁରେ ଜୀବନ ଭରିଦେଉଛନ୍ତି ଝାରସୁଗୁଡାର ପୂର୍ଣ୍ଣଚନ୍ଦ୍ର ! କାଠରେ ତିଆରି କରୁଛନ୍ତି ଆଖି ଝଲସିଯିବା ଭଳି ମୂର୍ତ୍ତି ।

328

କନକ ବ୍ୟୁରୋ : ପେସା ନୁହେଁ ଏହା ହେଉଛି ତାଙ୍କର ନିଶା । ପିଲାଟି ଦିନରୁ କାଠରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରିବା ଏକ ସଉକ । କାଠ ଫାଳିଆକୁ କାଟିକୁଟି, ରଙ୍ଗ ବୋଳି ଜୀବନ୍ତ କରି ପାରୁଥିବା ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଚାହିଁଥିଲେ ଏହାକୁ ନିଜର ପେସା କରି ପାରିଥାନ୍ତେ । ମାତ୍ର ତାହା ସେ କରିନାହାନ୍ତି । ପେସାରେ ଜଣେ ଚାଷୀ ଥିବା ପୂର୍ଣ୍ଣଚନ୍ଦ୍ର ସମୟ ପାଇଲେ କାଠରେ ମୂର୍ତ୍ତି ନିର୍ମାଣ କରି ନିଜର ସଉକ ମେଣ୍ଟାଇଥାନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜମଗାଁ ପଞ୍ଚାୟତ ପଧାନଡେରା ଗ୍ରାମର ପୂର୍ଣ୍ଣଚନ୍ଦ୍ରଙ୍କୁ ବୟସ ଏବେ ୬୬ ବର୍ଷ । ଘରେ ପତ୍ନୀଙ୍କ ସହ ଦୁଇ ପୁଅ, ଦୁଇ ବୋହୁ ତଥା ନାତି ନାତୁଣୀଙ୍କୁ ନେଇ ତାଙ୍କ ପରିବାର । ତିନି ଝିଅ ବାହା ହୋଇ ସାରିଛନ୍ତି । ବେଶୀ ଚାଷ ଜମି ନ ଥିଲେ ବି ଯେତେ ଅଛି ସେଥରେ ଦୁଇ ପୁଅ ମିଶି ଚାଷ କରନ୍ତି ଓ ପୂର୍ଣ୍ଣଚନ୍ଦ୍ର ସେମାନଙ୍କୁ ସେଥିରେ ସାହାଯ୍ୟ କରିଥାନ୍ତି । ଚାଷ କାମ ପରେ ‌ଯାହା ସମୟ ମିଳେ ସେଥିରେ ସେ ଅଖିଆ ଅପିଆ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ନ୍ତି । ତାଙ୍କର ଏହି ନିଆରା କଳା ପ୍ରତି ଥିବା ଆକର୍ଷଣକୁ ଗାଁ’ରେ ସମସ୍ତେ ସମ୍ମାନ ଦିଅନ୍ତି । ପରିବାର ଲୋ‌କେ ମଧ୍ୟ ତାଙ୍କୁ ବେଶ୍‌ ପ୍ରୋତ୍ସାହିତ କରିଥାନ୍ତି ।

ନିର୍ଜୀବ କାଠକୁ ଏକ ପ୍ରକାର ଜୀବନ୍ୟାସ ଦେଇଥାନ୍ତି ପୂର୍ଣ୍ଣଚନ୍ଦ୍ର । ନିଜ ପ୍ରତିଭା ପ୍ରୟୋଗ କରି ବିଭିନ୍ନ ଖେଳଣା, ପଶୁ ପକ୍ଷୀଙ୍କ ମୂର୍ତ୍ତି, ଦେବଦେବୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ କହିବାନୁସାରେ ଛୋଟ ବେଳେ ଅନ୍ୟ ଛୁଆମାନେ ଯେତେବେଳେ ଖେଳିବାକୁ ଯାଉଥିଲେ ସେ ଖେଳଣା ନିର୍ମାଣରେ ସମୟ ଦେଉଥିଲେ । ସେହି ଅଭ୍ୟାସ ଆଜି ଯାଏ ବଳବତ୍ତର ରହିଛି । ଚାଷ କାମ ସାରି ଯେତେବେଳେ ଅନ୍ୟମାନେ ଗାଁ’ରେ ତାସ ଖେଳ, ଗପ ତଥା ଅନ୍ୟାନ୍ୟ କାମ କରନ୍ତି କିମ୍ବା ବିଶ୍ରାମ ନିଅନ୍ତି ସେତେବେଳେ ପୂର୍ଣଚନ୍ଦ୍ର ତାଙ୍କ ଘର ଅଗଣାରେ ହାତ ହାତିଆର ସହ ବସି ଲାଗି ପଡ଼ନ୍ତି କାଠ କାରୁକାର୍ଯ୍ୟରେ । ସେ କୁହନ୍ତି ଯେ, ଯେତେବେଳେ ତାଙ୍କ ମନ ବିଭିନ୍ନ ପ୍ରକାରର ସଙ୍କଳ୍ପ ଓ ବିକଳ୍ପରେ ବୁଡ଼ି ରହିଥାଏ, ସେତେବେଳେ ସେ ଏହାକୁ ଦେଖି କିମ୍ବା ତିଆରି କଲେ ସବୁ ଦୁଃଖକୁ ଭୁଲିଯାନ୍ତି । ଖାଲି ସମୟ ଟିକେ ପାଇଲେ ସେ ଲାଗିପଡ଼ନ୍ତି ଏପରି ଜିନିଷ ତିଆରି କରିବା ପାଇଁ । ଘରେ ତାଙ୍କୁ କେହି କେବେ ବିରୋଧ କରି ନାହାନ୍ତି । ତାଙ୍କ ବୋହୁ ସୁଭାଷିନୀ କୁହନ୍ତି, ଆମେ ତାଙ୍କର ଏଭିଳି କଳା ଦେଖି ଖୁବ୍‌ ଖୁସି । ତାଙ୍କର ସରଳତା ଓ କଳାରେ ଆମେ ସମସ୍ତେ ନିଜକୁ ଧନ୍ୟ ମନେକରୁଛୁ । ଏଭଳି ଜଣେ କଳାକାରଙ୍କ ପରିବାରେ ସେ ବୋହୁ ହେବା ସୌଭାଗ୍ୟ ବୋଲି କହିଛନ୍ତି ।

ପୂର୍ଣଚନ୍ଦ୍ର କୁହନ୍ତି ଯେ, ଏହି କଳାକୃତିକୁ ବିକ୍ରି କରି ତାଙ୍କୁ ଟଙ୍କା ଦରକାର ନାହିଁ । ଜଣେ କଳାକାରଙ୍କ ପାଇଁ ଟଙ୍କା ପଇସା ବଡ଼ ନୁହେଁ । ତାଙ୍କ କଳାକୃତି ସୁରକ୍ଷିତ ରହିବା ହିଁ ତାଙ୍କର ବଡ଼ ଇଚ୍ଛା । ସେ ଆହୁରି ମଧ୍ୟ କୁହନ୍ତି ‘ମୋ କଳାକୁ ବିକ୍ରି କରି ପେଟ ପୋଷିବା କଥା ମୁଁ କେବେ ଚିନ୍ତା କରିନାହିଁ । ମୁଁ ଏହି ସବୁ କଳାକୃତି ଆଖପାଖ ଗ୍ରାମର ସ୍କୁଲ୍‌ ଗୁଡ଼ିକୁ ଦେବି । ମଣିଷ କିଛି ନେଇକି ଆସିନି କି ନେଇକି ଯିବନି । ମୁଁ ମରିଗଲା ପରେ ମୋତେ ମନେ ରଖିବା ପାଇଁ ମୋର କୃତି ଯଥେଷ୍ଟ । ଯଦି ସରକାର ଏଥି ପ୍ରତି ଧ୍ୟାନ ଦେଇ ପ୍ରୋତ୍ସାହିତ କରନ୍ତ‌େ ତେବେ ମୁଁ ଏହି କଳାକୁ ଆହୁରି ଆଗକୁ ନେଇପାରନ୍ତି । ଗ୍ରାମର ବେକାର ଯୁବକଯୁବତୀଙ୍କୁ ତାଲିମ ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରି ପାରନ୍ତି’ ବୋଲି କହିଛନ୍ତି ‌ପୂର୍ଣ୍ଣଚନ୍ଦ୍ର । ଗମ୍ଭାରୀ, ଶାଳ କାଠରେ ଏହି ସବୁ ଜିନିଷ ତିଆରି ହେଉଥିବା ବେଳେ ଏବେ କାଠର ଘୋର ଅଭାବ ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିବା ପୂର୍ଣ୍ଣଚନ୍ଦ୍ର କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକଳାକୁ ଗୁରୁତ୍ୱ ଦେଉଛନ୍ତି । କର୍ଣ୍ଣାଟକରେ ଚେନ୍ନାପଟନମରେ ଏହି ପରି ବହୁ କଳାକାର ସେଠିକାର ରାଜ୍ୟ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ପାଇ ବହୁ ଅର୍ଥ ରୋଜଗାର କରିପାରୁଛନ୍ତି । ଯଦି ପ୍ରଶାସନ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତି ସହଯୋଗର ହାତ ବଢ଼ାନ୍ତି ତେବେ ଏହି କଳାକୁ ପ୍ରୋତ୍ସାହିତ କରିବାରେ କୌଣସି ସମସ୍ୟା ରୁହନ୍ତା ନାହିଁ ବ‌ୋଲି ଅନେକ ମତବ୍ୟକ୍ତ କରିଛନ୍ତି ।