ପଞ୍ଜାବ ସରକାରଙ୍କୁ ବଡ ଝଟକା । ୧୦ମାସ ମଧ୍ୟରେ ୨ମନ୍ତ୍ରୀ ଦେଲେଣି ଇସ୍ତଫା, ହୋଇପାରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ

254

କନକ ବ୍ୟୁରୋ : ପଞ୍ଜାବର ଭଗୱନ୍ତ ମାନ୍ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଫୈଜା ସିଂ ସରାରୀ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କହିଛନ୍ତି କି ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ତାଙ୍କର ବ୍ୟକ୍ତିଗତ କାରଣ । ହେଲେ ସେ ଦଳରେ ଥିଲେ ଓ ଆଗକୁ ଜଣେ ସଚ୍ଚୋଟ କର୍ମୀଭାବେ ଦଳରେ ରହିବେ ବୋଲି କହିଛନ୍ତି । ସେପଟେ ମନ୍ତ୍ରୀ ଫୈଜା ସିଂ ସରାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ରହିଥିଲା । ତେଣୁ ବିରୋଧୀ କଂଗ୍ରେସ ତାଙ୍କ ଇସ୍ତଫା ଦାବି କରିଥିଲା । ଏହାସହ ପଞ୍ଜାବର ମାନ୍ ସରକାର ଆଜି ତାଙ୍କ ମନ୍ତ୍ରୀମଣ୍ଡଳର ବଡ ପରିବର୍ତ୍ତନ କରିପାରନ୍ତି ବୋଲି ଅନୁମାନ କରାଯାଇଛି । ଏଥିରେ କିଛି ମନ୍ତ୍ରୀଙ୍କୁ ତାଙ୍କ ପଦରୁ ବିଦା କରାଯାଇ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସନ୍ଧ୍ୟା ୫ଟା ବେଳେ ରାଜଭବନରେ ଏକ ବୈଠକ ରଖିଛନ୍ତି ।

ଫୈଜାସିଂ ସରାରୀଙ୍କର ଏକ ଅଡିଓ କ୍ଲିପ ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଭାଇରାଲ ହୋଇଥିଲା । ଏହି ଅଡିଓକୁ ମନ୍ତ୍ରୀଙ୍କ ଓଏସଡି ତରସେମ କପୁର ଲିକ୍ କରିଥିଲେ । ଏହାକୁ ନେଇ ସେତେବେଳେ ବିଜେପି ଓ କଂଗ୍ରେସ ଉଭୟ ଆମ୍ ଆଦମୀ ପାର୍ଟିକୁ ପ୍ରଶ୍ନ କରିଥିଲେ ।

ଅନ୍ୟପଟେ ଆଜି ମନ୍ତ୍ରୀ ଫୈଜା ସିଂ ଇସ୍ତଫା ଦେବା ପରେ କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀଦଳ ନେତା ପ୍ରତାପ ସିଂ ବାଜବା କହିଛନ୍ତି , ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଯେଭଳି ଭାବେ ବିରୋଧୀଦଳର ନେତାଙ୍କ ଉପରେ ଯାଂଚ ଚଳାଇଛନ୍ତି ସେହିଭଳି ନିଜଦଳର ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଯାଂଚ କରାନ୍ତୁ ।