କନକ ବ୍ୟୁରୋ : ଦେଶରେ ଅସହ୍ୟ ଗୁଳୁଗୁଳି ସହ ଉଚ୍ଚ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । କେଉଁଠି ୪୫ ଡିଗ୍ରୀ ଉପରେ ତାପମାତ୍ରା ରହୁଛି ତ କେଉଁଠି ୪୦ ଡିଗ୍ରୀ ଉପରେ ରହୁଛି   । ଏସବୁ ଭିତରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ମେ’ମାସ ୩୧ ତାରିଖ ସୁଦ୍ଧ ମୌସୁମୀବାୟୁ କେରଳ ଛୁଇଁବ ।

Advertisment

ଅନ୍ୟପଟେ ପାଣିପାଗ ବିଭାଗ କହିଛି କି ଚଳିତ ବର୍ଷ ଦେଶରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ । ଏହି କ୍ରମରେ ଦେଶରେ ୮୭ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ କେରଳରେ ମୌସୁମୀ ବାୟୁ ମେ’୩୧ ଅର୍ଥାତ ଗୋଟିଏ ଦିନ ଆଗରୁ ପହଂଚୁଥିବା ବେଳେ ଓଡିଶାରେ ଜୁନ ୧୧ ରୁ ୧୬ ତାରିଖ ମଧ୍ୟରେ ମୌସୁମୀ ବାୟୁ ପହଂଚିବ ବୋଲି ପୂର୍ବାନୁମାନ କରାଯାଇଛି ।

ଗତବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ କେରଳରେ ପହଂଚିଥିଲା । ଯଦି ମୌସୁମୀ ବାୟୁ କେରଳ ପହଂଚିବାର ଇତିହାସ ଦେଖିବା ତେବେ ୧୯୧୮ ମସିହାରେ ସବୁଠାରୁ ଶୀଘ୍ର ଅର୍ଥାତ ମେ ୧୧ ତାରିଖରେ ମୌସୁମୀ ବାୟୁ ପହଂଚିଥିବା ବେଳେ ସବୁଠୁ ବିଳମ୍ବ ୧୯୭୨ ମସିହାରେ ଜୁନ ୧୮ ତାରିଖରେ କେରଳରେ ମୌସୁମୀ ବାୟୁ ପହଂଚିଥିଲା ।