ଖଲ୍ଲିକୋଟ ହିଂସାକୁ ନେଇ ନିନ୍ଦା କଲେ ଧର୍ମେନ୍ଦ୍ର । କହିଲେ, ଶାସକ ଦଳ ହାରିବା ଭୟରେ ହିଂସା ଅବଲମ୍ବନ କରୁଛି ।

195

କନକ ବ୍ୟୁରୋ : ଖଲ୍ଲିକୋଟରେ ଅଭାବନୀୟ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିଜେଡି କର୍ମୀଙ୍କ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି ଯେ ଖଲ୍ଲିକୋଟରେ ଅଭାବନୀୟ ପ୍ରାକ୍ ନିର୍ବାଚନୀ ହିଂସାରେ ଦଳର କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ । ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର କୌଣସି ସ୍ଥାନ ନାହିଁ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ମୁଁ କଠୋରରୁ କଠୋର ଶବ୍ଦରେ ନିନ୍ଦା କରୁଛି । ଶାସକ ଦଳ ହାରିବା ଭୟରେ ହିଂସାକୁ ଅବଲମ୍ବନ କରିଛନ୍ତି । କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଏହାର ଉଚିତ ଜବାବ ଲୋକମାନେ ବାଲଟ୍ ମାଧ୍ୟମରେ ଦେବେ । ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି ।

ଧର୍ମେନ୍ଦ୍ର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।