ଏସବିଆଇକୁ ସୁପିମକୋର୍ଟଙ୍କ ଛାଟ । ନିର୍ବାଚନୀ ବଣ୍ଡ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିନଥିବାରୁ ଅସନ୍ତୋଷ ପ୍ରକାଶ, ସୋମବାର ସୁଦ୍ଧା ପୁରା ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ

94

କନକ ବ୍ୟୁରୋ : ତଥ୍ୟ ଦେଲେ, ହେଲେ ରହସ୍ୟ ରଖିଦେଲେ । ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଲା ନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏସବିଆଇକୁ ସୁପିମକୋର୍ଟ ଛାଟ । ଇଲୋକ୍ଟୋରାଲ ତଥା ନର୍ବାଚନ ବଣ୍ଡ ସମ୍ପନ୍ଧରେ ସମ୍ପୁର୍ଣ୍ଣ ତଥ୍ୟ ଦାଖଲ କରିନଥିବାରୁ ଏସବିଆଇ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ସର୍ବୋଚ କୋର୍ଟ । ଏସବିଆଇ ନିର୍ବାଚନ ବଣ୍ଡ ସମ୍ପର୍କରେ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରେ ପୁରା ତଥ୍ୟ ନାହିଁ ବୋଲି କହିଛନ୍ତି କୋର୍ଟ । ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାର ୫ ଜଣିଆ ଖଣ୍ଡପୀଠ ଏସବିଆଇକୁ ଇଲୋକ୍ଟୋରାଲ ବଣ୍ଡ ନମ୍ବର ସହ ପୁରା ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତି ଶୁଣାଣି ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ପୁରା ତଥ୍ୟ ଦାଖଲ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ କୋର୍ଟ ।

କେଉଁ ସଂସ୍ଥା କେତେ ଟଙ୍କାର ବଣ୍ଡ କିଣିଛନ୍ତି ଏବଂ କେଉଁ ଦଳ ଏହି ବଣ୍ଡ ଗ୍ରହଣ କରିଛନ୍ତି ସେନେଇ ରିପୋର୍ଟ ଦେଇଛି ଏସବିଆଇ । କିନ୍ତୁ କେଉଁ ସଂସ୍ଥା କେଉଁ ଦଳକୁ କେତେ ଟଙ୍କାର ବଣ୍ଡ ଦେଇଛନ୍ତି ଏସମ୍ପର୍କରେ ସୂଚନା ଦିଆଯାଇନାହିଁ । ନିର୍ବାଚନ ବଣ୍ଡ ନମ୍ବର ଦ୍ୱାରା ଚାନ୍ଦା ଦେଉଥିବା ସଂସ୍ଥା ଏବଂ ରାଜନୈତିକ ଦଳର ସମ୍ପର୍କ ଜଣାପଡିବ । ହେଲେ ନିର୍ବାଚନୀ ବଣ୍ଡର ନମ୍ବର ଦିଆଯାଇ ନାହିଁ, ଫଳରେ କିଏ ଦେଲା, ଆଉ କାହାକୁ ଦେଲା, କେତେ ଦେଲା ଜଣାପଡ଼ୁ ନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ନୁହେଁ, ଏନେଇ ଉତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କିଏ କାହାକୁ ଦେଇଛି, ଯଦିଓ ଜଣାପଡ଼ି ନାହିଁ, ହେଲେ କିଏ କେତେ ଦେଇଛି ଓ କିଏ କେତେ ପାଇଛି, ସେ ନେଇ ଜଣାପଡ଼ିଛି । ନିର୍ବାଚନୀ ବଣ୍ଡ ଟଙ୍କାରୁ ରାଜନୈତିକ ଦଳଗୁଡ଼ିକ ମାଲାମାଲ ହୋଇଛନ୍ତି । କୋଟି କୋଟି ଟଙ୍କା ଦଳକୁ ଏହି ବଣ୍ଡ ଜରିଆରେ ମିଳିଛି । ସବୁଠୁ ଆଗରେ ଅଛି ବିଜେପି । ବିଜେପିକୁ ମିଳିଛି ୬ ହଜାର ୬୧ କୋଟି । ଦ୍ୱିତୀୟରେ ରହିଛି ମମତା ବାନାର୍ଜୀଙ୍କ ଟିଏମସି । ଟିଏମସିକୁ ୧୬୧୦ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି । ଏହାତଳକୁ କଂଗ୍ରେସ, ବିଆରଏସ୍, ବିଜେଡି, ଡିଏମକେ, ଆମ୍ ଆଦମୀ ପାର୍ଟି ଓ ଏଆଇଏଡିଏମକେ ରହିଛି । କଂଗ୍ରେସକୁ ୧୪୨୨ କୋଟି ଟଙ୍କା ମିଳିଥିବା ବେଳେ ବିଆରଏସକୁ ୧୨୧୫ କୋଟି ଟଙ୍କା ମିଳିଛି । ସେହିପରି ବିଜେଡିକୁ ୭୭୬ କୋଟି, ଡିଏମକେକୁ ୬୩୯ କୋଟି, ଆପକୁ ୬୫ କୋଟି ଓ ଏଆଇଏଡିଏମକେକୁ ୬ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ମିଳିଛି ।

କେଉଁ ଦଳ କେତେ ଟଙ୍କା ପାଇଛନ୍ତି
ବିଜେପି ୬,୦୬୧ କୋଟି
ଟିଏମସି ୧,୬୧୦ କୋଟି
କଂଗ୍ରେସ ୧,୪୨୨ କୋଟି
ବିଆରଏସ୍ ୧,୨୧୫ କୋଟି
ବିଜେଡି ୭୭୬ କୋଟି
ଡିଏମକେ ୬୩୯ କୋଟି
ଆପ୍ ୬୫ କୋଟି
ଏଆଇଏଡିଏମକେ ୬ କୋଟି

ନିର୍ବାଚନ ବଣ୍ଡରେ ଜଣେ ବ୍ୟକ୍ତି ଅବା ସଂସ୍ଥା ନିଜ ନାମ ଗୋପନ ରଖି ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେବାର ବ୍ୟବସ୍ଥା ଥିଲା । ୨୦୧୮ରେ ବିଜେପି ସରକାର ଇଲୋକ୍ଟୋରାଲ ବଣ୍ଡର ବ୍ୟବସ୍ଥା କରିଥିଲେ । ତେବେ ସୁପ୍ରିମକୋର୍ଟ ଗତ ମାସରେ ଏହାକୁ ଅସାମ୍ବିଧାନିକ କହିବା ସହ ନିର୍ବାଚନ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ପୈଠ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।