ରାସ୍ତା ଖରାପ ହେଲେ ଅଧିକ ଖୁସି ହୁଅନ୍ତି ରାଜନେତା ଓ ଠିକାଦାର । ନିତିନ୍ ଗଡକରୀଙ୍କ ବଡ ବୟାନ

700

କନକ ବ୍ୟୁରୋ : ଦେଶରେ ଖରାପ ସଡକ ବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ସବୁବେଳେ ପ୍ରଶ୍ନ ଉଠିଆସିଛି । ନେତା, ମନ୍ତ୍ରୀ ଓ ଠିକାଦାର ଟଙ୍କା ଖାଇଦେଇ ବସିପଡୁଛନ୍ତି, ରାସ୍ତା କରୁ ନାହାନ୍ତି ବୋଲି ଅନେକ ଅଭିଯୋଗ ଆସେ । ଏହାରି ଭିତରେ ବାରମ୍ବାର ସଡକ ମରାମତି କାମକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ । ଆଉ ଗଡକରୀ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଡକରୀ କହିଛନ୍ତି, ବାରମ୍ବାର ସଡକ ଖରାପ ହେବା ଏବଂ ତାକୁ ବାରମ୍ବାର ମରାମତି ଓ ରକ୍ଷଣାବେକ୍ଷଣା କରିବାରେ ନେତା,ମନ୍ତ୍ରୀ, ଅଧିକାରୀ ଓ ଠିକାଦାରଙ୍କୁ ବହୁ ସନ୍ତୁଷ୍ଟି ମିଳିଥାଏ । ଆଉ ଏହାର କାରଣ ସମସ୍ତଙ୍କୁ ଜଣାଅଛି । ରାସ୍ତାର ରକ୍ଷଣାବେକ୍ଷଣା ଏପରି ଏକ ବିସୟ ଯାହା ରାଜନେତାଙ୍କଠୁ ଧରି ଠିକାଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିଦେଇଥାଏ । କିନ୍ତୁ ଏଥିରେ ସାଧାରଣ ଜନତା ହାରିଯାଇଥାନ୍ତି ।
ଜଣେ ଠିକାଦାର ଭଲ ରାସ୍ତା ତିଆରି କରିବା ପୂର୍ବରୁ ଶହେ ଥର ଚିନ୍ତା କରିଥାଏ । କାହିଁକିନା ତାଙ୍କୁ ଲାଗିଥାଏ ଯଦି ଆମେ ଭଲ ରାସ୍ତା ନିର୍ମାଣ କରିବୁ ତାହେଲେ ଆମେ ଆମର ରୋଜଗାରକୁ ହରାଇ ବସିବୁ । ଏହା ସହିତ ରାସ୍ତା ନିର୍ମାଣ ପରେ ରାସ୍ତାକୁ ବାରମ୍ବାର ଖୋଳି ଅନ୍ୟ କାମ କରିବା ସହରରେ ଏହା ସାମାନ୍ୟ କଥା ।
ଗଡକରୀ ଏହା ମଧ୍ୟ କହିଛନ୍ତି କି, ନୂଆ ଟେକନିକ୍ ଓ ସାମଗ୍ରୀକୁ ଆପଣାଇ ଲଙ୍ଗ ଲାଷ୍ଟିଙ୍ଗ୍ ରାସ୍ତା ଏବଂ ରକ୍ଷଣାବେକ୍ଷଣା ରାସ୍ତା ନିର୍ମାଣ ପାଇଁ ସମାଧାନର ରାସ୍ତା ଖୋଜିବାର ସମୟ ଆସିଯାଇଛି । ଆଗକୁ ଏପରି ରାସ୍ତା ନିର୍ମାଣ କରାଯିବ, ଯହା ୨୫ବର୍ଷ ପର୍ଯ୍ୟନ୍ତ ମଜଭୁତ ରହିବ ଏବଂ ଏହାର କୌଣସି ରକ୍ଷଣାବେକ୍ଷଣାର ଆବଶ୍ୟକତା ପଡିବ ନାହିଁ । କେବଳ ଏତିକି ନୁହେଁ ଆଗକୁ ଯେଉଁ ଅଧିକାରୀ ଯେଉଁ ରାସ୍ତା ନିର୍ମାଣ କରିବେ ତାଙ୍କର ନାଁ ସାର୍ବଜନିନ କରାଯିବ । ସାଧାରଣ ଲୋକେ ବି ଜାଣିବା ଦରକାର, ଖରାପ ରାସ୍ତା ପାଇଁ କିଏ ଦାୟୀ । ଲୋକେ କାହିଁକି ଅନ୍ୟ କାହାର ପୁତଳିକା ଦାହ କରିବେ, ଯିଏ ଖରାପ କାମ ପାଇଁ ଦାୟୀ ତାକୁ ଲୋକେ ଜାଣିବା ନିହାତି ଦରକାର ।