ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ବୟାନ । କହିଲେ, ବ୍ରିଜଭୂଷଣ ଠାରୁ ବଡ ଅପରାଧୀ କେହି ନାହାଁନ୍ତି

297

କନକ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତ୍ରର ଠାରେ କୁସ୍ତିଯୋଦ୍ଧାଙ୍କ ଧାରଣା ୮ ଦିନରେ ପହଂଚିଛି । ଧାରଣା ସ୍ଥଳରେ ଆଜି କୁସ୍ତିଯୋଦ୍ଧାମାନେ ସାମ୍ବାଦିକ ସମ୍ମିଳନୀ କରି ନ୍ୟାୟ ପାଇଁ ଦାବି କରିଛନ୍ତି । ଏହି କ୍ରମରେ ବଜରଙ୍ଗ ପୁନିଆ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି କି, କୁସ୍ତିସଂଘ ଏବେ ଏହି ଆନ୍ଦୋଳନକୁ ଭିନ୍ନରୂପ ଦେବାକୁ ଚେଷ୍ଟା କରୁଛନ୍ତି । ହେଲେ ଆମର ନ୍ୟାୟଳୟ ଉପରେ ପୂର୍ଣ୍ଣ ଭରସା ରହିଛି । ପରିବାରବାଦକୁ ନେଇ ବଜରଙ୍ଗ ପୁନିଆ କହିଛନ୍ତି ସାରା ପରିବାରବାଦ ସେଠାରେ ହେଉଛି କିନ୍ତୁ ଅଭିଯୋଗ ଆମ ଉପରେ ଲଗାଯାଉଛି । ସେପଟେ କୌଣସି ଖେଳାଳୀଙ୍କ ଉପରେ ଅପରାଧିକ ମାମଲା ନଥିବା ବେଳେ ବ୍ରିଜଭୂଷଣଙ୍କ ଭଳି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଏବେ କୁସ୍ତି ମହାସଂଘର ସଂପାଦକ ଭାବେ ରହିଛନ୍ତି ।

ସେପଟେ ବିନେଶ ଫୋଗଟ କହିଛନ୍ତି କି ଆଇନଗତ ପ୍ରକ୍ରିୟା ଉପରେ ତାଙ୍କ କିଛି କହିବାର ନାହିଁ । ଏବେ ଆମକୁ ଅନେକ ରାଜ୍ୟର ଖେଳାଳୀମାନେ ସମର୍ଥନ କରୁଛନ୍ତି । ଏହା ସହ ବିନେଶ ଫୋଗଟ କହିଛନ୍ତି କି ପ୍ରଧାନମନ୍ତ୍ରୀ ଏବେ ଆମ ମନର କଥା ଶୁଣନ୍ତୁ । ଏହାସହ ସେ ଦେଶବାସୀଙ୍କୁ ତାଙ୍କର ଶକ୍ତି ବୋଲି କହିଛନ୍ତି ।