ମୋଦୀଙ୍କ ୩ ଦିବସୀୟ ଆମେରିକା ଗସ୍ତ । ଜାତିସଂଘରେ କରିବେ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ । ଜାଣନ୍ତୁ କ’ଣ ରହିଛି ମୁଖ୍ୟ ପ୍ରସଙ୍ଗ

119

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ବାହାରିଛନ୍ତି । ମୋଦୀଙ୍କର ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି । କାରଣ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏ ଦ୍ୱିତୀୟ ଥର ପାଇଁ ଜାତିସଂଘ ବୈଠକକୁ ସମ୍ବୋଧନ କରିବେ ।

ଆଜି ସକାଳେ ସ୍ୱତନ୍ତ୍ର ବିମାନରେ ମୋଦୀ ଆମେରିକା ଅଭିମୁଖେ ବାହାରିଛନ୍ତି । ତାଙ୍କର ଆମେରିକା ଗସ୍ତ ୨୧ ଜୁନରୁ ୨୩ ଜୁନ ଯାଏଁ ରହିବ । ଏଠାରେ ସେ ମିଶର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଗସ୍ତରେ କ’ଣ ରହିଛି ମୋଦୀଙ୍କ ଗସ୍ତର ମୁଖ୍ୟ ପ୍ରସଙ୍ଗ ଆସନ୍ତୁ ଜାଣିବା ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଆମେରିକା ପ୍ରଥମ ମହିଳା ନାଗରିକ ଜିଲ୍ ବାଇଡେନଙ୍କ ଅନୁରୋଧ କ୍ରମେ ଆମେରିକା ଗସ୍ତ କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ ପ୍ରତିରକ୍ଷା ଡିଲରେ ମୋହର ବାଜିବ । ଫଳରେ ଭାରତୀୟ ପ୍ରତିରକ୍ଷା ଶକ୍ତି ଅନେକ ଗୁଣରେ ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ଚୀନର ମୁକାବିଲା କରିବାକୁ ଭାରତ ସେନାକୁ ଲଢୁଆ ବିମାନ ସଂଖ୍ୟାକୁ ବଢାଇବାକୁ ପଡିବ । ଏଥିପାଇଁ ଜେସ୍ ମାର୍କ-୨ ଲଢୁଆ ବିମାନ ପାଇଁ ନୂଆ ଇଞ୍ଜିନର ଆବଶ୍ୟକତା ରହିଛି । ଆମେରିକା ଗସ୍ତ ସମୟରେ ଜିଇ-ଏଫ୪୧୪ ଇଞ୍ଜିନର ନିର୍ମାଣ ଭାରତରେ ହେବା ଡିଲ ଉପରେ ମଧ୍ୟ ମୋହର ବାଜିବ । ଫଳରେ ଜେଟ୍ ଇଞ୍ଜିନ ଭାରତରେ ପ୍ରସ୍ତୁତ କରାଯିବ । ଏଥିପାଇଁ ଆମେରିକା ଟେକ୍ନୋଲୋଜି ଟ୍ରାନ୍ସଫର ଉପରେ ସହମତି ହୋଇସାରିଛି ।

ଆମେରିକାର ସବୁଠୁ ଶକ୍ତିଶାଳୀ ଡ୍ରୋନ୍ ୧୨୦୦ କିଲୋମିମଟର ଯାଏଁ ଆକ୍ରମଣ କରିପାରୁଥିବାର କ୍ଷମତା ରଖୁଛି । ତାଲିବାନ୍ ଓ ଆଇଏସଆଇଏସ ବିରୋଧରେ ଆମେରିିକା ଏହି ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲା । ଭାରତର ଜଳପଥ ଓ ସ୍ଥଳପଥରେ ଦୂର ଦୂର ଯାଏଁ କଡା ନଜର ରଖିବାକୁ ଏହି ଡ୍ରୋନର ଆବଶ୍ୟକତା ରହିଛି । ଆମେରିକାରୁ ଏହି ଡ୍ରୋନ କିଣିବା ଉପରେ ମଧ୍ୟ ମୋହର ବାଜିବାର ସୂଚନା ରହିଛି ।

ଏହାପରେ ଜୁନ୍ ୨୧ ତାରିଖରେ ଜାତିସଂଘ କଂଗ୍ରେସକୁ ମୋଦୀ ସମ୍ବୋଧନ କରିବା ସହ ୯ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ନେତୃତ୍ୱ କରିବେ । ଏହି ଯୋଗ କାର୍ଯ୍ୟକ୍ରମରେ ୧୮୦ଟି ଦେଶର ପ୍ରତିନିଧି ସାମିଲ ହେବେ । ଏଥିରେ ଅନ୍ତରାଷ୍ଟ୍ରୀୟ କଣ୍ଠଶିଳ୍ପୀ ମେରୀ ମିଲବେନ୍ ମଧ୍ୟ ସାମିଲ ହୋଇ ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ଜୁନ୍ ୨୨ ତାରିଖରେ ହ୍ୱାଇଟହାଉସରେ ଜୋ ବାଇଡେନଙ୍କ ଅତିଥି ସାଜିବେ ମୋଦୀ । ୨୧ ତୋପ ସଲାମୀ ସହ ମୋଦୀଙ୍କୁ ସ୍ୱାଗତ କରିବା ପରେ ସେଠାରେ ମୋଦୀ ରାତ୍ରୀ ଭୋଜନ କରିବେ । ଏଥିରେ ୭୦୦୦ ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଯୋଗ ଦେବାର ସୂଚନା ରହିଛି ।

ଜୁନ୍ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରୀସ୍ ଓ ବୈଦେଶୀକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିବେ । ତାଙ୍କ ସହ ଦ୍ୱିପହର ଭୋଜନ କରିବା ପରେ ଆଲୋଚନା କରିବେ । ଏହାପରେ ମୋଦୀ ଜୁନ୍ ୨୪ ତାରିଖରେ ମିଶର ଗସ୍ତରେ ବାହାରିବେ । ଗତ ଜାନୁଆରୀରେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଆସିଥିବା ମିଶର ରାଷ୍ଟ୍ରପତି ଅବଦେଲ ଫତେହ ଅଲସିସିଙ୍କ ଅନୁରୋଧ କ୍ରମେ ମିଶର ଯିବେ ମୋଦୀ ।