ଯୁବକଙ୍କୁ ବେଲ୍ଟରେ ବାନ୍ଧି କୁକୁର ଭଳି ଭୋକିବାକୁ ଭିଡିଓ ଭାଇରାଲ ପ୍ରସଙ୍ଗ: ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଜାରି, ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ବୁଲଡୋଜର୍

704

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଭୋପାଳ ରାଜରାସ୍ତାରେ ଜଣେ ଯୁବକଙ୍କ ବେକରେ ବେଲ୍ଟ ଭିଡି ତାଙ୍କୁ କୁକୁର ଭଳି ଭୋକିବାକୁ ବାଧ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୩ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଆଇନ) ଲାଗୁ ହୋଇଛି ବୋଲି ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ ହୋଇଛି। ସମସ୍ତ ଅଭିଯୁକ୍ତଙ୍କ ଘର ଭାଙ୍ଗିବାପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ୧୨ ମାସ ପର୍ୟ୍ୟନ୍ତ ଜେଲ୍‌ରେ ରହିବେ।

ଏନଏସଏ ଅଧୀନରେ ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳେ ତେବେ ସେମାନେ ଆହୁରି ଅଧିକ ଦିନ ବି ଜେଲ୍‌ରେ ରହିପାରନ୍ତି। ଅଭିଯୁକ୍ତ ସମୀର, ସଜିଦ ଏବଂ ଫୈଜନ ଲାଲ୍‌ଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି। ପୀଡ଼ିତ ବିଜୟ ରାମଚନ୍ଦନି ଏନେଇ ଥାନାରେ ଅଭିଯୋଗ କରିବାପରେ ଉକ୍ତ ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ବିଜୟ କହିଛନ୍ତି, ଅଭିଯୁକ୍ତମାନେ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା,ଗୋମାଂସ ଖାଇବା ସହ କୁକୁର ଭଳି ଭୁକିବାକୁ ବାଧ୍ୟ କରିଥିଲେ। ସମୀର , ସଜିଦ ଏବଂ ଫୈଜନ ସହ ଅନ୍ୟ ୩ ଜଣ ମୁସଲିମ ଯୁବକ ମଧ୍ୟ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନେ ତାଙ୍କୁ ଛୁରୀରେ ମାରିଦେବାପାଇଁ ଧମକ ଦେଇଥିଲେ।