ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ନୀତି ଆରମ୍ଭ : ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି

155

କନକ ବ୍ୟୁରୋ :ଆଜି ବିଶ୍ୱ ନୟନ୍ତା ପ୍ରଭୁ ଶ୍ରୀ କାଳିଆ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରା । ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ହେଲେ ସୁଦର୍ଶନ ଠାକୁର । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରିସାରିଛନ୍ତି ।

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା :- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ ।

ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରୀକା ବ ଢଙ୍ଗକୂ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବାଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ । କିନ୍ତୁ ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାଇତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ ।