ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ହେବେ ସାମିଲ

114

କନକ ବ୍ୟୁରୋ : ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଉଛନ୍ତି । ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ହେତୁ ପିଏମ ମୋଦୀ ୪୯୭ ଦିନ ପରେ ବିଦେଶ ଗସ୍ତରେ ଯାଉଛନ୍ତି । ଏହା ପୂର୍ବରୁ ସେ ନଭେମ୍ବର ୨୦୧୯ରେ ବ୍ରାଜିଲ ଗସ୍ତ କରିଥିଲେ । ଗତ ଏକ ବର୍ଷ ଧରି, ପ୍ରଧାନମନ୍ତ୍ରୀ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଗସ୍ତ ସମୟରେ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ଅତି କମରେ ପାଞ୍ଚଟି ଏମଓୟୁ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ।

ସକାଳ ୭:୪୫ରେ ବାଂଲାଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ୧୦ଟାରେ ଢାକାରେ ପହଞ୍ଚିବେ। ସେଠାରେ ପହଞ୍ଚିବା ପରେ ସେ ପୂର୍ବାହ୍ନ ୧୦:୫୦ରେ ‘ଜାତୀୟ ସହିଦ ସ୍ମାରକୀ’ରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ, ଅପରାହ୍ଣ ୩:୧୫ରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ. ଅବ୍ଦୁଲ୍‌ ମୋମେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଅପରାହ୍ଣ ୩:୪୫ରେ ପ୍ରଧାନମନ୍ତ୍ରୀ ‘ଜାତୀୟ ଦିବସ କାର୍ଯ୍ୟକ୍ରମ’ରେ ଯୋଗ ଦେବେ ଏବଂ ସନ୍ଧ୍ୟା ୭:୪୫ରେ ‘ବାପୁ ବଙ୍ଗବନ୍ଧୁ ଡିଜିଟାଲ୍‌ ଭିଡିଓ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ।

ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ତଥା ଏହାର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇ ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ପ୍ରତିନିଧୀ ସ୍ତରୀୟ ଆଲୋଚନା ମଧ୍ୟ କରିବେ । ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡକ୍ଟର ଏ.କେ ଅବଦୁଲ ମୋମେନ କହିଛନ୍ତି ଯେ ଏମଓୟୁ ସଂଖ୍ୟା ଅଧିକ କିମ୍ବା କମ ହୋଇପାରେ, କିନ୍ତୁ ଅତି କମରେ ପାଞ୍ଚଟି ଏମଓୟୁ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ।

ବାଂଲାଦେଶ ଯିବା ପୂର୍ବରୁ ଜାରି ଏକ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଖୁସି ଯେ କୋଭିଡ -19 ମହାମାରୀ ଆରମ୍ଭ ହେବା ପରେ ପଡୋଶୀ ବନ୍ଧୁ ଦେଶକୁ ଏହା ମୋର ପ୍ରଥମ ବିଦେଶ ଯାତ୍ରା । ଯେଉଁଥିରେ ଭାରତର ସାଂସ୍କୃତିକ, ଭାଷା ଏବଂ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଅତୁଟ ବନ୍ଧନ ରହିଛି ।