ବିଗିଡ଼ିଲାଣି ଟ୍ରାଫିକ୍‌ ସ୍ଥିତି : କାଗଜପତ୍ରରେ ରହିଯାଇଛି ମାଳ ମାଳ ଯୋଜନା… ଡ୍ରୋନ୍‌ ଖରାପ, ଅପରେଟର ନାହାନ୍ତି; ରଙ୍ଗ୍‌ ରୁଟରେ ଭିଡ଼

118

ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନେକ ଯୋଜନା ହୋଇଛି। ହେଲେ ସେ ସବୁ କେବଳ କାଗଜପତ୍ରରେ ରହିଛି। ଯେତେବେଳେ ନୂଆ ନିୟମ ଲାଗୁ ହେଉଛି, ସେତେବେଳେ କିଛି ଦିନ କଟକଣା କଡ଼ାକଡ଼ି ହେଉଛି। ତା’ ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇଯାଉଛି। ରଙ୍ଗ୍‌ ରୁଟ୍‌ ଗାଡ଼ି ଚାଳନାକୁ ରୋକିବା ପାଇଁ ସ୍ପାଇକ୍‌ ବ୍ୟାରିୟର୍‌ ଓ ଲେନ୍‌ ଡ୍ରାଇଭିଂ ବ୍ୟବସ୍ଥା ଅଟକି ରହିଥିବା ବେଳେ ଓଭରଟେକିଂ ଓ ବେଆଇନ ପାର୍କିଂ ଉପରେ ଅଙ୍କୁଶ ଲାଗି ପାରୁନାହିଁ। ଏଣେ ଆକାଶରେ ଉଡ଼ି ଅମାନିଆଙ୍କୁ ଚିହ୍ନଟ କରିବା ପାଇଁ କିଣା ଯାଇଥିବା ଡ୍ରୋନ୍‌ ଖରାପ ହୋଇ ପଡ଼ିଛି। ଏହାର ଅପରେଟର ଅନ୍ୟ କାମରେ ନିୟୋଜିତ ହୋଇଛନ୍ତି। ଫଳରେ ଏବେ ଟ୍ରାଫିକ୍‌ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ି ପଡ଼ିଛି।

କରୋନା କଟକଣା କୋହଳ ହେବା ପରେ ଦିନକୁ ଦିନ ଭୁବନେଶ୍ବରରେ ଲୋକ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କ ସହ ଗାଡ଼ିମୋଟର ସଂଖ୍ୟା ମଧ୍ୟ ଅନୁରୂପ ଭାବରେ ବଢ଼ିବାରେ ଲାଗିଛି। ଭୁବନେଶ୍ବରର ବିଭିନ୍ନ ଟ୍ରାଫିକ୍‌ ଛକରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ସାଢ଼େ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ନାହିଁନଥିବା ଭିଡ଼ ହେଉଛି। ରାସ୍ତାରେ ରୋଡ୍‌ ରୋମିଓଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ନିକଟ ଅତୀତରେ ସାମାନ୍ୟ ଦୁର୍ଘଟଣାକୁ କେନ୍ଦ୍ର କରି ଜୟଦେବ ବିହାର-ପଟିଆ ରାସ୍ତା ଦୀର୍ଘ ଦୁଇ ଘଣ୍ଟା ଧରି ଜାମ୍‌ ହୋଇ ଯାଇଥିଲା। ଏବେ ମଧ୍ୟ ଏହି ରାସ୍ତାରେ ପ୍ରବଳ ଭିଡ଼ ହେଉଛି। କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅମାନିଆଙ୍କ ସଂଖ୍ୟା ସହ ଦୁର୍ଘଟଣା ବଢ଼ିଛି।

ବିଭିନ୍ନ ଓଭରବ୍ରିଜ୍‌ ସହ ସରକାରୀ ଜାଗାରେ ଅଚଳ ଗାଡ଼ି ଜମା ହୋଇ ରହୁଥିଲା। ଏନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ପୁଲିସ ଏହି ସବୁ ଗାଡ଼ିକୁ ଉଠାଇ ନେଇଥିଲା। ବେଶ୍‌ କିଛି ଦିନ ଧରି ସମ୍ପୃକ୍ତ ଜାଗାଗୁଡ଼ିକ ଫାଙ୍କା ରହିଥିଲା। ହେଲେ ଏନ୍‌ଫୋର୍ସମେଣ୍ଟ ଶିଥିଳ ପଡ଼ି ଯାଇଥିବାରୁ ଏହି ଘଟଣାର ପୁନରାବୃତ୍ତି ଘଟିଛି। ଯାହା ଦୁର୍ଘଟଣାର କାରଣ ହେବା ସହ ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନରେ ବାଧା ସୃଷ୍ଟି କରୁଛି।

ସେହିଭଳି ବେଆଇନ ପାର୍କିଂ ଉପରେ କମିସନରେଟ୍‌ ପୁଲିସ କଠୋର ହୋଇଥିଲା। ଏୟାର୍‌ପୋର୍ଟରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ରାସ୍ତାରେ ବେଆଇନ ପାର୍କିଂକୁ ସୁଯୋଗ ଦିଆଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ବେଆଇନ ପାର୍କିଂ ହୋଇଥିବା ଗାଡ଼ିରେ ହୁଇଲ୍‌ ଲକ୍‌ ପକାଇ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ବେଶ୍‌ କିଛି ଦିନ ଏନ୍‌ଫୋର୍ସମେଣ୍ଟ କରିଥିଲା। ହେଲେ ଏବେ ହୁଗୁଳା ହୋଇଯାଇଥିବାରୁ ଯିଏ ଯେଉଁଠି ପାରୁଛି ପାର୍କିଂ କରୁଛନ୍ତି। ସେହିଭଳି ବିଭିନ୍ନ ଜାଗାରେ ସ୍ପାଇକ୍‌ ବ୍ୟାରିୟର ଲଗାଇବାକୁ ଯୋଜନା ହୋଇଥିଲା। ଭୁବନେଶ୍ବରରେ ଅତ୍ୟନ୍ତ ସମ୍ବେଦନଶୀଳ ୧୮ଟି ଜାଗାରେ ବ୍ୟାରିୟର ଲଗାଇବା ପାଇଁ ଚିହ୍ନଟ ହୋଇଥିଲା। ହେଲେ ଏହି ବ୍ୟବସ୍ଥା କେବଳ କାଗଜପତ୍ରରେ ରହିଛି। ବ୍ୟାରିୟର କିଣିବା ପାଇଁ ପ୍ରସ୍ତାବ ଯାଇଥିଲେ ମଧ୍ୟ ତାହା ଶୀତଳଭଣ୍ଡାରରେ ପଡ଼ି ରହିଛି।