ରେଢାଖୋଲ ମାଟିରେ ରାଷ୍ଟ୍ରପତି: ସନ୍ଥକବିଙ୍କୁ ମନେପକାଇ ହେଲେ ଭାବବିହ୍ୱଳ

205

କମକ ବ୍ୟୁରୋ: ରେଢାଖୋଲରେ ମହିମାଧର୍ମ ଉପାସକଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସନ୍ଥକବି ଭୀମଭୋଇଙ୍କୁ ମନେପକାଇ ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଏହି ସ୍ଥାନକୁ ଆସି ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ଭୀମଭୋଇଙ୍କ ବାଣୀ ଓ ଆଦର୍ଶ ତାଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ । ଭୀମଭୋଇଙ୍କ ବାଣୀକୁ ପାର୍ଲାମେଂଟର ସେଂଟ୍ରାଲ ହଲରେ କହିବା ପରେ ତାଳିର ଗୁଞ୍ଜରଣ ସୃଷ୍ଟ ିହୋଇଥିଲା । ଭୀମଭୋଇଙ୍କ ଉକ୍ତି ତାଙ୍କୁ ବେଶୀ ପ୍ରଭାବିତ କରିଛି ।

ରାଷ୍ଟ୍ରପତି ଦିନବେଳା ଝାରୁସୁଗୁଡାରୁ ସିଧା ସନ୍ଥକବିଙ୍କ ଆବିର୍ଭାବ ପୀଠ ମଧୁପୁର ଯାଇଥିଲେ । ଏଠାରେ ଭୀମଭୋଇଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ଦେଇ ପୀଠର ଦର୍ଶନ କରିଥିଲେ । ମଧୁପୁର ତଳାବଣରେ ଥିିବା ଚଉଷଠି ସିଦ୍ଧିଙ୍କର ଧୁନି ମଣ୍ଡପରେ ଅର୍ଘ୍ୟପ୍ରଦାନ କରିଥିଲେ । ପରେ ଭୀମଭୋଇଙ୍କ ଜ୍ଞାନପୀଠ କନ୍ଧରା ଆଶ୍ରମ ଯାଇଥିଲେ । ଏଠାରେ ଥିବା ଭୀମଭୋଇଙ୍କ ଦିବ୍ୟଜ୍ୟୋତି ଓ ଜ୍ଞାନପ୍ରାପ୍ତି ପୀଠ ଦର୍ଶନ କରିଥିଲେ ମହାମହିମ । ଚାରିଟି ଜିଲ୍ଲା ସଂଯୋଗ ସ୍ଥଳରେ ରହିଛି ମହିମା ଧର୍ମର ଅନନ୍ୟ ପୀଠ କନ୍ଧରା ଓ ଭୀମଭୋଇଙ୍କ ସ୍ମୃତିପୀଠ । ଏଠାରେ ଭୀମଭୋଙ୍କ ଜ୍ଞାନର ଉଦୟ ହୋଇଥିବା ଓ ସେ ଏଠାରେ ୧୬ ବର୍ଷ ରହିଥିବା ଜଣାଯାଏ ।

ଭୀମଭୋଇଙ୍କ ଆବିର୍ଭାବ ପୀଠରୁ ସିଦ୍ଧ ଆଶ୍ରମକୁ ଚାଲିଚାଲି ଯିବା ସମୟରେ ଶହ ଶହ ସ୍ଥାନୀୟ ଅଧିବାସୀ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ହାତ ମିଳାଇଥିଲେ । ରାଷ୍ଟ୍ରପତି ବି କୁନି ପିଲାଙ୍କୁ ଚକଲେଟ ବାଂଟିଥିଲେ । ଚଉଷଠି ସିଦ୍ଧଙ୍କ ଆଶ୍ରମରେ ତାଙ୍କୁ ସନ୍ଥକବିଙ୍କ ଏକ ଫଠୋ ଚିତ୍ର ଓ ମହିମା ଧର୍ମର ସ୍ମୃତି ଚିନ୍ତାମଣି ଦିଆଯାଇଛି । ଏଠାରୁ ରାଷ୍ଟ୍ରପତି ଦୀକ୍ଷାପଡା କଙ୍କଡାପଡାର ଭୀମଭୋଇଙ୍କ ଆଶ୍ରମକୁ ଯାଇ ସ୍ମୃତିଚାରଣ କରିଛନ୍ତି ।

ସ୍ୱାଧୀନତା ପରେ କୌଣସି ରାଷ୍ଟ୍ରପତି ରେଢାଖୋଲାର ପ୍ରସିଦ୍ଧ ମହିମାପୀଠକୁ ଆସିବା ପ୍ରଥମ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ରୀତାସାହୁ ଉପସ୍ଥିତ ଥିଲେ ।