ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଆଗରେ ଶକ୍ତି ପ୍ରଦର୍ଶନ : ପୋଷ୍ଟର ୱାର ସହ ନିଜ ଢଙ୍ଗରେ କଲେ ସ୍ୱାଗତ

5,508

କନକ ବ୍ୟୁରୋ : ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଆଗରେ ଶକ୍ତି ପ୍ରଦର୍ଶନ । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନେବା ପରେ ପ୍ରଣବ ପ୍ରକାଶ ଦାସ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଥିଲେ । ଏହି ସମୟରେ ସହରରେ ଦେଖିବାକୁ ମିଳିଥିଲା ବିଜେଡି ନେତାଙ୍କ ପୋଷ୍ଟର ୱାର । ଏପରି କରି ଦଳୀୟ ବିଧାୟକ ନିଜର ପତିଆରା ଲଢେଇ କରୁଥିବା ଜଣାପଡିଛି । ଏହି ବିଜେଡି ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ନିକଟରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ରୋହିତ ପୂଜାରୀ ।

ରୋହିତଙ୍କ ସମର୍ଥକମାନେ ବବି ଦାସଙ୍କୁ ରେଢ଼ାଖୋଲ ଓ ଯୁଯୁମୁରା ପରେ ସମ୍ବଲପୁର ସହର କଚେରି ଛକରେ ସ୍ୱାଗତ କରିଥିଲେ । ସେହିପରି ସୁଶାନ୍ତ ସିଂଙ୍କ ଅନୁଗତ ଓ ସମର୍ଥକମାନେ ମୁଣ୍ଢେର, ମାନେଶ୍ୱର, ଜେଲ୍ ଛକ ଆଦି ସ୍ଥାନରେ ସ୍ୱାଗତ କରିବା ସହିତ ଏକ ବାଇକ୍ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ମାନେଶ୍ୱର ନିକଟରେ ନିଜର ବହୁ ସଂଖ୍ୟକ ସମର୍ଥକଙ୍କ ସହିତ ବିଶାଳ ଦାସ କେବଳ ସ୍ୱାଗତ କରିନଥିଲେ ନିଜ ଶକ୍ତି ପ୍ରଦର୍ଶନ ବି କରିଥିଲେ ।

ମାନେଶ୍ୱର ନିକଟରୁ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ତାଙ୍କ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ରହିଥିଲେ । ବବି ଦାସ ଏକାଠି ହୋଇ ଲଢିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେବା ସହ ଏପରି କଲେ ପଂଚାୟତ ନିର୍ବାଚନ ପରି ଭଲ ଫଳ ମିଳିବ ବୋଲି କହିଛନ୍ତି । ଏପଟେ ସାଙ୍ଗଠନିକ ସମ୍ପାଦକଙ୍କୁ ଏକାଠି ହୋଇ ସ୍ୱାଗତ ନକରି ଅଲଗା ଅଲଗା ନିଜ ନିଜ ସମର୍ଥକଙ୍କ ଗହଣରେ ସ୍ୱାଗତ କରାଯିବାକୁ ନେଇ ପ୍ରଶ୍ନ ଉଠିଛି । କେଉଁଠି ନା କେଉଁଠି ଜିଲ୍ଲାର ବିଜେଡି ବିଧାୟକ ଓ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ନାହିଁ ତ ?