ବିଜେପି ଛାଡ଼ିବା ପରେ ଆଜି ବିଜେଡିରେ ମିଶିପାରନ୍ତି ପ୍ରକାଶ ବେହେରା । କହିଲେ, ଦଳ ସହ ରହିଲାନି ଠିକ୍ ବୁଝାମଣା ।

ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ବିଜେଡିରେ ମିଶିବା ନେଇ ଚର୍ଚ୍ଚା

1,347

କନକ ବ୍ୟୁରୋ: ବିଜେପି ଛାଡ଼ିବା ପରେ ଆଜି ବିଜେଡିରେ ମିଶିପାରନ୍ତି ପ୍ରକାଶ ବେହେରା । ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସଂଗଠନରେ ଯେଉଁମାନଙ୍କ ପ୍ରମୁଖ ଭୂମିକା ରହିଛି ସେମାନଙ୍କୁ ଅଣାଦେଖା କରାଯାଇଛି । ଦଳ ସହିତ ତାଙ୍କର ବିଚାରଗତ ସମସ୍ୟା ରହିଲା । ବୁଝାମଣା ଠିକ୍ ରହିଲା ନାହିଁ । ସେ ଯାହା ଚାହୁଁଥିଲେ କରିପାରିଲେ ନାହିଁ ବୋଲି କହିଛନ୍ତି ପ୍ରକାଶ ବେହେରା । ଏହା ସହ ଆଗାମୀ ନିର୍ବାଚନରେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ।

ଆଜି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । କଟକ ବିଜେପି ଜିଲ୍ଲା ସଭାପତି ଥିବା ପ୍ରକାଶ ବେହେରା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ୨୦୧୪ରେ ସେ ସାଲେପୁରରୁ କଂଗ୍ରେସ ବିଧାୟକ ହୋଇଥିଲେ । ଏହା ପରେ ୨୦୧୯ ମସିହାରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ଦଳ ସାଲେପୁର ପାଇଁ ପ୍ରକାଶ ବେହେରାଙ୍କୁ ଟିକେଟ୍ ଦେଇଥିଲା । ହେଲେ ସେ ସାଲେପୁର ଆସନରୁ ପରାସ୍ତ ହୋଇଥିଲେ ।

ସେହିପରି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଆଜି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଶଙ୍ଖଭବନରେ ସେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ୨୦୧୪ରେ କଂଗ୍ରେସ ଟିକେଟ୍ରୁ ଜଗତସିଂହପୁର ଆସନରୁ ବିଜୟୀ ହୋଇଥିଲେ । ଏହା ପରେ ୨୦୧୯ରେ ପୁଣି ଥରେ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଗତ ବର୍ଷ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ହଟାଇଥିଲା ଏଆଇସିସି । ହେଲେ ପରବର୍ତୀ ସମୟରେ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ତାଙ୍କ ପୋଷ୍ଟର ଓ ବ୍ୟାନରରେ କଂଗ୍ରେସ ଦଳୀୟ ନଥିଲା । ହେଲେ ଏପର୍ଯ୍ୟନ୍ତ ସେ କଂଗ୍ରେସରୁ ଇସ୍ତଫା ଦେଇନଥିଲେ ମଧ୍ୟ ଖୁବ୍ ଶୀଘ୍ର ବିଜେଡିରେ ମିଶିବା ଚର୍ଚ୍ଚା ହେଉଛି ।