ପୋଖରାନରେ ପରାକ୍ରମ: ୩ ସେନାର ଶକ୍ତି ପ୍ରଦର୍ଶନ, ପରାକ୍ରମ ଦେଖିଲେ ପ୍ରଧାନମନ୍ତ୍ରୀ

54

କନକ ବ୍ୟୁରୋ: ପୋଖରାନରେ ପାୱାର ସୋ’ । ସେନା ପକ୍ଷରୁ ପ୍ରଦର୍ଶିତ ସ୍ୱଦେଶୀ ଅସ୍ତ୍ରର ଶକ୍ତି ଦେଖିଲେ ପ୍ରଧାନମନ୍ତ୍ରୀ । ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ, ଏନେଇ ପୋଖରାନରେ ପରୀକ୍ଷଣ କରାଯାଇଛି । ତିନି ସେନା ପକ୍ଷରୁ ମିଳିତ ଅଭ୍ୟାସରେ ପ୍ରଧାନମନ୍ତ୍ରୀଙ୍କ ସହ ୪୦ଟି ଦେଶର ପ୍ରତିନିଧି ବି ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ, ତିନି ସେନାର ମୁଖ୍ୟ ଏହି ସାମରିକ ଅଭ୍ୟାସ ବେଳେ ଉପସ୍ଥିତ ଥିଲେ ।

ଲ୍ୟାଣ୍ଡ ଅଫ ନ୍ୟୁକ୍ଲିୟର କୁହାଯାଉଥିବା ରାଜସ୍ଥାନ ପୋଖରାନରେ ୩ସେନାର ପରାକ୍ରମ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯୁଦ୍ଧ ଭୂମିରେ କେମିତି କାମ କରେ ଏଏଲଏଚ ଧ୍ରୁବ ତାର ପରାକ୍ରମ ଦେଖାଇଛି ସେନା । ସ୍ଥଳ, ବାୟୁ ଓ ନୌସେନାର ମିଳିତ ସମରାଭ୍ୟାସ ‘ଭାରତ ଶକ୍ତି’କୁ ଅତି ନିକଟରୁ ଦେଖିଛନ୍ତି ମୋଦୀ । ସ୍ୱଦେଶୀ ଯୁଦ୍ଧାସ୍ତ୍ରକୁ ନେଇ ପ୍ରଦର୍ଶିତ ହେଉଛି ‘ଭାରତ ଶକ୍ତି’ ସମରାଭ୍ୟାସ ।

ଆକାଶରେ ପରାକାଷ୍ଠା ଦେଖାଇଛି ଯୁଦ୍ଧ ବିମାନ ଏଲସିଏ ତେଜସ । ଗୋଳାବାରୁଦ ବର୍ଷା କରି ନିଜର ଯୁଦ୍ଧ କ୍ଷମତାକୁ ପ୍ରଦର୍ଶନ କରିଛି ତେଜସ । ସେହିପରି ଯୁଦ୍ଧ ସମୟରେ ସୂଚନା ଏକାଠି କରିବା ପାଇଁ ଇଂଟେଲିଜେନ୍ସ, ସର୍ଭିଲେନ୍ସ ଓ ରେକି କରିବାର ବ୍ୟବସ୍ଥାକୁ ମଧ୍ୟ ପ୍ରଦର୍ଶନ କରାଯାଇଛି । ଡ୍ରୋନ ସାହାଯ୍ୟରେ ସୂଚନା ପାଇଲା ପରେ ସେନା ପ୍ରସ୍ତୁତ ହୋଇଯାଏ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପିନାକା ରକେଟ ସିଷ୍ଟମ କେମିତି କାର୍ଯ୍ୟ କରେ ତାହାର ମଧ୍ୟ ପ୍ରଦର୍ଶନ କରାଯାଇଛି ।

ଚେତକ ହେଲିକେପ୍ଟର ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଧନୁଷ ଓ ସାରଙ୍ଗ ଗନ୍ ସିଷ୍ଟମ କାର୍ଯ୍ୟ କରୁଛନ୍ତି । ଯୁଦ୍ଧ ଭୂମିରେ କେ-୯-ବଜ୍ରର ପରାକ୍ରମ ମଧ୍ୟ ଦେଖିବାକୁ ମିଳିଛି । ପୋଖରାନରେ ସ୍ୱଦେଶୀ ଅସ୍ତ୍ର ଶକ୍ତି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟି-୯୦ ଟ୍ୟାଙ୍କ, ଧନୁଷ ଓ ସାରଙ୍ଗ ଗନ୍ ସିଷ୍ଟମ କେମିତି କାର୍ଯ୍ୟ କରେ ତାହା ଅତି ନିକଟରୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ।

୩ସେନାର ସାମରିକ ଶକ୍ତି ପ୍ରଦର୍ଶନ ପରେ ଜିପରେ ବୁଲି ଦେଖିଛନ୍ତି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଯନ୍ତ୍ରାଂଶ । ‘ଭାରତ ଶକ୍ତି’ ସାମରିକ ଅଭ୍ୟାସରେ ସ୍ୱଦେଶୀ କୌଶଳରେ ତିଆରି ହୋଇଥିବା ଯୁଦ୍ଧାସ୍ତ୍ର ଗୁଡ଼ିକର ପ୍ରଦର୍ଶନ କରାଯାଉଛି । ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ, ଏନେଇ ଏଠାରେ ପରୀକ୍ଷଣ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ୪୦ଟି ଦେଶର ପ୍ରତିନିଧି ବି ସାମିଲ ହୋଇଛନ୍ତି ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ, ତିନି ସେନାର ମୁଖ୍ୟ ଏହି ସାମରିକ ଅଭ୍ୟାସ ବେଳେ ଉପସ୍ଥିତ ଥିଲେ । ଭାରତ ଶକ୍ତି ସମରାଭ୍ୟାସରେ ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର, ଡ୍ରୋନ୍, ଟ୍ୟାଙ୍କ, ହେଲିକପ୍ଟର ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ପୂର୍ବରୁ ବିଦେଶରୁ ସାମରିକ ଅସ୍ତ୍ରଅସ୍ତ୍ର ଆମଦାନୀ କରାଯାଉଥିବା ବେଳେ ଏବେ ଏହାକୁ ନିଜ ଦେଶରେ ପ୍ରସ୍ତୁତ କରାଯିବାକୁ ଜୋରଦାର ଚେଷ୍ଟା କରାଯାଉଛି । ଆଉ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ଭାରତୀୟ କୌଶଳରେ ପ୍ରସ୍ତୁତ ହୋଇଛି ଓ ସଫଳତା ପାଇଛି, ସେସବୁର ପ୍ରଦର୍ଶନ କରାଯାଉଛି । ସାମରିକ ଶକ୍ତି ପ୍ରଦର୍ଶନ ଦେଖିବା ପରେ ଯବାନଙ୍କ ସହ ଫଟୋ ଉଠାଇ ସେମାନଙ୍କ ଦମ୍ଭ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।