ସମୟ ମାଗିଲା ବିଏମସି: ୩ ଦିନ ଭିତରେ ଦରମା ବୃଦ୍ଧି ନିଷ୍ପତ୍ତି!

140

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୧୫ହଜାର ଟଙ୍କା ଦରମା ବୃଦ୍ଧି ନହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ଆନ୍ଦୋଳନ ଭିତରେ ବିଏମସି କର୍ତୃପକ୍ଷ ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି । ଆଉ ଦାବି ପୂରଣ ନେଇ ତିନି ଦିନର ସମୟ ମାଗିଛି ବିଏମସି । ସେପଟେ ଆନ୍ଦୋଳନକାରୀ ସଫେଇ କର୍ମଚାରୀ କହିଛନ୍ତି ଯେ, ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ।

ସୁନ୍ଦର ସହର ଉପରୁ ଯେତେବେଳେ ସଫେଇ କର୍ମଚାରୀ ନିଜ ଦାୟୀତ୍ୱ ହାତ ଉଠାଇନିଅନ୍ତି, ଅଳିଆ-ଆବର୍ଜନା କେମିତି ବାତାବରଣକୁ ଅପରିସ୍କାର କରିଦିଏ । ଦାୟତ୍ୱକୁ ନିଷ୍ଠାର ସହ ତୁଳାଉଥିବା ସଫେଇ କର୍ମଚାରୀ କୌଣସି ନୂଆ ଦାବି କରୁନାହାଁନ୍ତି, ଦରମା ଦାବିକୁ ନେଇ ଭିତରେ ଭିତରେ କୁହୁଳୁଥିବା ଅସନ୍ତୋଷ କେବଳ ସାମ୍ନାକୁ ଆସିଛି । ଆଉ ଯେତେବେଳେ ଏମାନେ ଝାଡୁ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି ।

ଆନ୍ଦୋଳନ ଭିତରେ ବିଏମସି କର୍ତୃପକ୍ଷ ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି । ସଫେଇ କର୍ମଚାରୀଙ୍କ ଦାବି ପୂରଣ ନେଇ ତିନି ଦିନର ସମୟ ମାଗିଛି ବିଏମସି । ୩ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ନେଇ ଘୋଷଣା କରିପାରନ୍ତି ସରକାର । ଅଳିଆ ପୃଥକୀକରଣ ବନ୍ଦ କରିବାକୁ ୧୫ ଦିନର ସମୟ ମାଗିଛି ବିଏମସି । ଆଲୋଚନା ସଫଳ ହୋଇଥିବା ବିଏମସି ପକ୍ଷରୁ କୁହାଯାଇଛି ।

ଆଲୋଚନା ସଫଳ ହୋଇଥିଲେ ସୁଦ୍ଧା ପ୍ରତିବାଦ ଜାରି ରହିବ ବୋଲି କହିଛି ସଫେଇ କର୍ମଚାରୀ ସଂଘ । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଜାରି ରହିବ ଆନ୍ଦୋଳନ ବୋଲି ଚେତାବନୀ ଦେଇଛନ୍ତି । ମୁଖ୍ୟତଃ, ମାସକୁ ଦରମା ୯,୦୦୦ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି, ଆବର୍ଜନା ପୃଥକ କରିବାକୁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି ଏବଂ ଠିକା ସଂସ୍ଥା ମନମୁଖୀ କାମ ଉପରେ ଅଙ୍କୁଶ ଦାବି ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ ।