କଳାମୁଗୁନି ପଥରରେ ତିଆରି ହେଉଛି ଶିଳ, ଘୋରଣା ଓ ପେଶଣା । ସ୍ଥାନୀୟ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ଗାଁର ୩୦ ପରିବାର

121

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ଚଢିଆପଲ୍ଲି ଗାଁ । ଗାଁରେ ରହୁଛନ୍ତିି ୩୦ ପରିବାର । ଏମାନେ ପୁରୁଷ ପୁରୁଷ ଧରି ପଥରରେ ନିର୍ମାଣ କରୁଛନ୍ତି ଘରକରଣା ସାମଗ୍ରୀ । ବୁଗୁଡା ସହର ଠାରୁ ମାତ୍ର ୩ କିମି ଦୂର ଚଢିଆପଲ୍ଲି ଗାଁ ଲୋକେ ପାହାଡରେ ଥିବା କଳାମୁଗୁନି ପଥରରୁ ଶିଳ, ଘୋରଣା, ପେଶଣା ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ପ୍ରଥମେ ଗୋଟିଏ ପରିବାରର ସଦସ୍ୟ ଏହି କାମ ଆରମ୍ଭ କରିଥିଲେ । ଧୀରେ ଧୀରେ ଏହାର ଚାହିଦା ବଢ଼ିବାରୁ ଅନ୍ୟ ପରିବାର ଏହି କାମ କରୁଛନ୍ତି । ଭଲ ବ୍ୟବସାୟ ହେବାରୁ ଏହାକୁ କୌଳିକ ବୃତି ଭାବେ ଆପଣାଇଛନ୍ତି ଗାଁର ୩୦ ପରିବାର ।

ମେସିନାରୀ ଜିନିଷର ବ୍ୟବହାର ବଢ଼ିଥିଲେ ମଧ୍ୟ ଏବେ ବି ଶିଳ, ଘୋରଣାର ଚାହିଦା କମିନି । ଆଜି ବି ଲୋକମାନେ ଘରେ ଘରେ ଶିଳ ଘୋରଣା ସାଇତି ରଖିଛନ୍ତି । ଶିଳ ବଟା ଖାଦ୍ୟ ଖାଇବାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଏହାକୁ ଦୃଷ୍ଟିରେ ରଖି କାରିଗର ମାନେ ଏହି କାମ ଜାରି ରଖିଛନ୍ତି । ମୁଗୁନି ପଥରକୁ ପ୍ରଥମେ ପାହାଡକୁ କାଟିବା ପରେ ସେଣି ଓ ହାତୁଡି ଦ୍ୱାରା ବିଭିନ୍ନ ରୁପ ଦେଉଛନ୍ତି । ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ୯ ଶହରୁ ୧୧ ଶହ ଟଙ୍କାରେ ବିକ୍ରି କରିବା ସହ କଟକ, ପୁରୀ, ବାଲେଶ୍ୱର ଓ ଭଦ୍ରକ ଭଳି ଅଂଚଳକୁ ବିକ୍ରି ପାଇଁ ପଠାଉଛନ୍ତି ଏହି ଅଂଚଳର କାରିଗର । ଏଥିରୁ ଗୋଟିଏ ଗୋଟିଏ ପରିବାରକୁ ମାସିକ ୧୦ ହଜାର ଟଙ୍କର ରୋଜଗାର ମିଳୁଛି ।

ଏହି ବୃତି କଷ୍ଟକର ହୋଇଥିଲେ ମଧ୍ୟ ସେମାନଙ୍କୁ ଆତ୍ମସନ୍ତୋଷ ଦେଇଛି । କିନ୍ତୁ ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପଥର କାରିଗର ।