କନ୍ଧମାଳରେ ସଫଳ ହେଉଛି ଷ୍ଟ୍ରବେରୀ ଚାଷ । ୬ଟି ବ୍ଲକରେ ୩୦ ଏକର ଜମିରେ ଫଳିଛି ଲାଲ ରଙ୍ଗର ଷ୍ଟ୍ରବେରୀ

139

କନକ ବ୍ୟୁରୋ : ସବୁଜିମା ପରିବେଶରେ ହସୁଛି କ୍ଷେତ । ନୀଳ ରଙ୍ଗର ଷ୍ଟ୍ରବେରୀ ଗଛରେ ଲାଲ ରଙ୍ଗର ଫଳ ବେଶ ଆକୃଷ୍ଟ କରୁଛି । ତେବେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୨-୨୩ରେ ପରିକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଚାଷ ଏବେ ସଫଳ ହୋଇଛି । କନ୍ଧମାଳର ମାଟି, ପାଣି ଓ ପବନ ଷ୍ଟ୍ରବେରୀ ଚାଷ ପାଇଁ ସମ୍ପୂର୍ଣ୍ଣ ସୁହାଇଛି । ଫୁଲବାଣୀ ବ୍ଳକ ମିଣିଆ ପଂଚାୟତର ଜ୍ରାକିପଡ଼ା ଗାଁରେ ଏହି ଚାଷ କରିଛନ୍ତି ୧୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ପ୍ରାୟ ୨ ଏକର ଜମିରେ ଲାଗଛି ୩୨ ହଜାର ଷ୍ଟ୍ରବେରୀ ଗଛ । ବର୍ତମାନ ଗଛରୁ ଫଳ ଅମଳ ହେଉଛି । ଏଠାରୁ ଉତ୍ପାଦନ ହେଉଥିବା ଷ୍ଟ୍ରବରେୀ ଉନ୍ନତ ମାନର ଓ ମିଠା ଯୁକ୍ତ ବୋଲି କହିଛନ୍ତି ମହିଳା  ।

ପୂର୍ବରୁ ମହିଳା ମାନେ ପରିବା ଚାଷ କରୁଥିଲେ । ଏବେ ଏହି ଚାଷ କରିବା ଦ୍ୱାରା ସେମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଦୈନିକ ଗଛରୁ ପ୍ରାୟ ୪ ରୁ ୫ କିଲୋ ଷ୍ଟ୍ରବେରୀ ବାହାରୁଛି । ଯାହାକୁ ସେମାନେ କିଲୋ ପିଛା ପ୍ରାୟ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି । କନ୍ଧମାଳ ଷ୍ଟ୍ରବେରୀ ବ୍ରାଣ୍ଡରେ ବିକ୍ରି ହେଉଛି ଷ୍ଟ୍ରବେରୀ । ପ୍ରଶାସନ ପକ୍ଷରୁ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା ହେଲେ ସେମାନେ ଏହି ଚାଷ ଅଧିକ ମାତ୍ରାରେ କରିବେ ବୋଲି କହିଛନ୍ତି ।

କନ୍ଧମାଳ ହଳଦୀ ପରେ ବର୍ତମାନ କନ୍ଧମାଳ ଷ୍ଟ୍ରବେରୀର ଚାହିଦା ବଢିଛି । ପୂର୍ବ ବର୍ଷ ଏହି ଚାଷରେ ସଫଳତା ମିଳିବା ପରେ ଏବେ ଜିଲ୍ଲାର ପାଖାପାଖି ୬ଟି ବ୍ଲକରେ ୩୦ ଏକର ଜମିରେ ପ୍ରଶାସନ ପକ୍ଷରୁ ଷ୍ଟ୍ରବେରୀ ଚାଷ କରାଯାଇଛି । ଏସଏଚଜି ମହିଳା ମାନଙ୍କୁ ଦିଆଯାଇଛି ଏହି ଚାଷର ଦାୟିତ୍ୱ । ଷ୍ଟ୍ରବେରୀ ଫଳ ଦାମୀ ଫଳ ହୋଇଥିବାରୁ ଏହି ଷ୍ଟ୍ରବେରୀ ଚାଷ କରିବା ପାଇଁ ଚାଷୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।