ଭୁବନେଶ୍ୱର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବୁଲୁଛି ଅର୍ପଣ ରଥ । ପୁରୀ ପରିକ୍ରମା ପ୍ରକଳ୍ପ ରଥକୁ ନେଇ ତେଜିଲା ରାଜନୀତି

733

କନକ ବ୍ୟୁରୋ : ରାଜଧାନୀ ସମେତ ଆଦିବାସୀ ଗାଁ ଗଣ୍ଡାରେ ବୁଲିଲା ଅର୍ପଣ ରଥ । ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପ୍ରରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବ ଆଦିବାସୀ ଗାଁ ଗଣ୍ଡାର ଗୁଆ ଓ ଚାଉଳ । ଏଥିଲାଗି ପ୍ରଶାସନ ତରଫରୁ ଅର୍ପଣ ରଥର ଆୟୋଜନ କରି ପ୍ରତି ଗାଁ ଓ ସାହିରେ ପରିକ୍ରମା ଜାରି ରହିଛି । ମାଲକାନଗିରି ମାଥିଲି ବ୍ଲକ ସଦରରେ ମଧ୍ୟ ଏହି ଅର୍ପଣ ରଥ ଦେଖିବାକୁ ମିଳିଛି । ସେହିଭଳି ରାୟଗଡା ଜିଲ୍ଲାର ଗୁଣୁପୁର ପୌରାଂଚଳରେ ବିଧାୟକଙ୍କ ଉପସ୍ଥିତିରେ ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଠ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଗଡିଛି । ଭଜନ କୀର୍ତନ ସହ ହୁଲୁହୁଲି ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟ ିହୋଇଥିଲା । ସେହିପରି ବାଲେଶ୍ୱରର ସୋର, କୋରାପୁଟର ଜୟପୁର, ବ୍ରହ୍ମପୁର ଓ ଯାଜପୁର ଜିଲ୍ଲାର ଛତିଆବଟ ଠାରେ ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ପ୍ରେମୀମାନଙ୍କ ଠାରୁ ଗୁଆ ଓ ଅକ୍ଷତ ସଂଗ୍ରହ କରୁଥିବା ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଓ ଛତିଆ ବଟର ମହନ୍ତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବିଧାୟକ ପ୍ରଥମେ ଗୁଆ, ଅକ୍ଷତ ଚାଉଳ ଅର୍ପଣ କରିଏହାର ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବୁଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ଏହି ପ୍ରକଳ୍ପ ରଥ ପରିକ୍ରମା କରିବ । ନାମ ସଂକୀର୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ବିଏମ୍ସି ଅଂଚଳ । ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅର୍ପଣ ରଥ ଗାଁ ଗାଁ ବୁଲି ଗୁଆ ଅରୁଆ ଚାଳଉ ସଂଗ୍ରହ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଛନ୍ତି, ଅଯୋଧ୍ୟାରେ ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦ ଚଳାଇଥିବା କାର୍ଯ୍ୟକ୍ରମକୁ ନକଲ କରୁଛନ୍ତି ରାଜ୍ୟ ସରକାର ।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେପି-ବିଜେଡି ଭାଇ ଭାଇ । ସିଏ ଯାହା କରୁଛନ୍ତି ଏମାନେ ସେଇଆ କରୁଛନ୍ତି । ଖାଲି ଯାହା ନିର୍ବାଚନ ସମୟରେ ଭିନ୍ନ ଭିନ୍ନ ରୂପରେ ଲୋକଙ୍କ ଆଗରେ ନିଜକୁ ଉପସ୍ଥାପନ କରୁଛନ୍ତି ।