ରାଜନୀତି ଛାଡିଦେବା କଥା କାହିଁକି କହିଲେ କେନ୍ଦ୍ରମନ୍ତ୍ରୀ? ଦଳ ଭିତରେ କୋଣଠେସା ହୋଇଯାଇଛନ୍ତି କି ଗଡକରୀ?

445

କନକ ବ୍ୟୁରୋ: ବିଜେପିର ଅନ୍ୟତମ ଶୀର୍ଷ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ରାଜନୀତି ଛାଡି ଦେବେ । ଏକଥା ଯିଏ ଶୁଣିବ ଆଶ୍ଚର୍ଯ୍ୟ ହେବା କଥା ସ୍ୱାଭାବିକ । ତେବେ ଗଡକରୀ ଏପରି କାହିଁକି କହିଲେ? ବିଜେପିରେ ମୋଦୀ-ଶାହ ରାଜ ଚାଲିଥିବା ବେଳେ ଦଳର ଏହି ପୂର୍ବତନ ସଭାପତି କୋଣଠେସା ହୋଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଶନିବାର ନାଗପୁରରେ ଦେଇଥିବା ଏକ ବୟାନ ଏବେ ବଡ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ବେଳେ ବେଳେ ସେ ରାଜନୀତି ଛାଡିଦେବା କଥା ଭାବନ୍ତି ବୋଲି କହିଛନ୍ତି । ଏଥିରୁ ଜଣାପଡୁଛି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ବର୍ତମାନର ରାଜନୀତିକୁ ନେଇ ଖୁସି ନାହାନ୍ତି । ପ୍ରଥମେ ଦେଖିନିଅନ୍ତୁ କଣ କହିଥିଲେ ନୀତିନ ଗଡକରୀ ।

କେବଳ ନିର୍ବାଚନ ଜିତିବା ଓ ୧୦୦ ପ୍ରତିଶତ କ୍ଷମତାକୁ ଆସିବା ଏବେ ରାଜନୀତିର ଅର୍ଥ ପାଲଟି ଯାଇଥିବା କହିଛନ୍ତି ନୀତିନ ଗଡକରି । ଏପରିକି ତାଙ୍କର ପୋଷ୍ଟର ଲଗାଯିବାକୁ ସେ ନାପସନ୍ଦ କରନ୍ତି । ଯାହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୀତି ସମୀକ୍ଷକ ଓ ବିରୋଧୀ ଦଳର ନେତା । ବର୍ତମାନର ବିଜେପି ମୋଦୀ-ଶାହା ବିଜେପିରେ ପରିଣତ ହୋଇଯାଇଥିବାରୁ ନୀତିନ ଗଡକରି ଦଳ ଭିତରେ କୋଣଠେସା ହୋଇପଡିଥିବା ସେମାନେ ଆଶଙ୍କା କରୁଛନ୍ତି ।

ଗଡକରିଙ୍କ ଏହି ବୟାନ ବଡ ବିତର୍କ ସୃଷ୍ଟି କରିଛି । ହେଲେ ବାରମ୍ବାର ଏଭଳି ବୟାନ ଦେଇ ଝଡ ସୃଷ୍ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗଡକରୀଙ୍କ ବିବାଦୀୟ ବୟାନ
– ଗତବର୍ଷ କହିଥିଲେ ‘ଅଳ୍ପ ରାଜନେତା ଥିବେ ଯେଉଁମାନେ ଆପଣଙ୍କୁ ଖୁସି ଦେଖାଯିବେ’
– ୨୦୧୯ ଜାନୁଆରୀରେ କହିଥିଲେ ‘ଯେଉଁ ନେତା ଲୋକଙ୍କୁ ସ୍ୱପ୍ନ ଦେଖାନ୍ତି କିନ୍ତୁ ପୂରଣ କରନ୍ତିନି, ତାଙ୍କୁ ଲୋକ ମାଡ ମାରନ୍ତି’
– ମହାରାଷ୍ଟ୍ର ରାଜନୀତିକୁ ଇଙ୍ଗିତ କରି କହିଥିଲେ ‘କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ, ଯିଏ ହାରିବା ପରି ଦେଖା ଯାଉଥିବ ସେ ପୁଣି ଜିତି ଯାଇପାରେ’
– ଚଳିତବର୍ଷ ମାର୍ଚ୍ଚରେ ପୁଣେରେ କହିଥିଲେ ‘ଗଣତନ୍ତ୍ରରେ ଏକ ମଜଭୂତ ବିରୋଧୀ ଜରୁରୀ, ସେ ଚାହାନ୍ତି ଯେ, କଂଗ୍ରେସ ରାଷ୍ଟ୍ରୀୟ ସ୍ତରରେ ଭଲ ପ୍ରଦର୍ଶନ କରୁ’
– ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରସଙ୍ଗରେ କହିଥିଲେ ‘ଦର ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି’