କାଶୀପୁରରେ କନ୍ଦାଉଛି କଲେରା । ‘କରୋନା’ ଭଳି ବ୍ୟାପୁଛି ଝାଡାବାନ୍ତି ! ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର?

72

କନକ ବ୍ୟୁରୋ: ବିଧାନସଭାରେ ଉଠିଲା କାଶୀପୁର କଲେରା ପ୍ରସଙ୍ଗ । ମୃତ୍ୟୁ ସଂଖ୍ୟାକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଲୋକେ ଦୂଷିତ ପାଣି ପିଇବା ପଛରେ ପାଖରେ ଥିବା ଉକ୍ରଳ ଆଲୁମିନା କମ୍ପାନୀ ଦାୟୀ ବୋଲି ବିରୋଧୀ କହିଛନ୍ତି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ସପ୍ତାହରୁ ଅଧିକ ଦିନ ହେବ ରାୟଗଡା କାଶୀପୁରରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ପ୍ରଶାସନ ସଚେତନ କରାଇଲେ ମଧ୍ୟ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ଯାହାକୁ ନେଇ ଗୃହରେ ବିରୋଧୀ ବିଜେପି ଏବଂ କଂଗ୍ରେସ ହଟ୍ଟଗୋଳ କରିଛନ୍ତି । ଶୂନ୍ୟକାଳରେ ମୃତ୍ୟୁ ସଂଖ୍ୟାକୁ ନେଇ ଘେରିଛନ୍ତି ବିରୋଧୀ ।
– ମୃତ୍ୟୁ ସଂଖ୍ୟା ୯ ବୋଲି ସରକାର କହୁଛନ୍ତି
– ହଇଜାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବିଜେପିର ଅଭିଯୋଗ
– ସରକାର ୫ ଜଣଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି
– ସେମାନଙ୍କର ପୋଷ୍ଟ ମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ଦାବି ହୋଇଛି
– ରାଜ୍ୟର ଅନ୍ୟ ସ୍ଥାନକୁ ଝାଡ଼ାବାନ୍ତି ବ୍ୟାପିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ
– ସମାନ କଥା କଂଗ୍ରେସ ମଧ୍ୟ ବିଧାନସଭାରେ କହିଛି
ଜିଲ୍ଲାରେ ଥିବା ଉକ୍ରଳ ଆଲୁମିନା କମ୍ପାନୀର ପାଣି ନଦୀରେ ମିଶୁଛି । ତେଣୁ ପାଣି ପ୍ରଦୂଷିତ ହେବାରୁ ଝାଡାବାନ୍ତି ବ୍ୟାପୁଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିିଛନ୍ତି ।

ବିରୋଧୀ ମୃତ୍ୟୁ ସଂଖ୍ୟା ନେଇ ସରକାରଙ୍କୁ ଜବାବ ମାଗିଛନ୍ତି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି ନିକଟରେ ସେ କାଶୀପୁର ଯାଇଥିଲେ । ସେତେବେଳେ ଯେଉଁ ସଂଖ୍ୟା ଥିଲା ତାହା ରହିଛି । ବିରୋଧୀ ଯେଉଁ ଦାବି କରୁଛନ୍ତି ତାହା ଲିଖିତ ଆକାରରେ ଦେଲେ ସେ ଅନୁଧ୍ୟାନ କରିବେ ।

ଅନ୍ୟପଟେ କାଶୀପୁର ପରେ ନୂଆପଡ଼ାରେ ଡାଇରିଆ ବ୍ୟାପୁଛି । କୋମନା ବ୍ଲକ ଜଟଗଡ଼ ଗାଁରେ ଝାଡ଼ା ବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣରୁ ଅଧିକ ଗୁରୁତର ଥିବା ନେଇ ସିଡିଏମ୍ଓ ସୂଚନା ଦେଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।