ଅର୍ଚ୍ଚନା ନାଗ ପ୍ରସଙ୍ଗରେ ତେଜୁଛି ରାଜନୀତି । ବିଜେପି କହିଲା ବ୍ୟବସାୟୀ ଓ ପ୍ରଯୋଜକ ଆସିଲେ, ଆଗକୁ କିଏ ?

141

କନକ ବ୍ୟୁରୋ: ଅର୍ଚ୍ଚନା ଲିଙ୍କର ଗୁମର ଖୋଲୁଛି ଇଡି । ଯେଉଁଥିରେ ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କୁ ଇଡି ପଚରା ଉଚରା କରିଛି । ତେବେ ଆଗକୁ କାହା ପାଳି ଆସିବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଅର୍ଚ୍ଚନାଙ୍କ ସହ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଫଟୋ ଭାଇରାଲ ହୋଇଛି । ଆଗକୁ ଅନେକ ବଡ ବଡିଆ ଇଡି ସ୍କାନରକୁ ଆସିପାରନ୍ତି ବୋଲି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ନେତାଙ୍କ ସହ ଆଇଏଏସ, ଆଇପିଏସ ମଧ୍ୟ ଅର୍ଚ୍ଚନା ଲିଙ୍କରେ ରହିଛନ୍ତି । ଯାହାର ପର୍ଦ୍ଦାଫାଶ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା । ସେପଟେ କଂଗ୍ରେସ କହିଛି ଅର୍ଚ୍ଚନା ନାଗଫାସରେ ଅନେକ ନେତା ମନ୍ତ୍ରୀଙ୍କ ନାଁ ରହିଛି । ଇଡିର ତଦନ୍ତ ରାଜନୈତିକ ପାଇଦା ପାଇଁ ବ୍ୟବହାର ନ ହେଉ । ପଦ୍ମପୁର ଉପନିର୍ବାଚନ ପାଇଁ ଇଡି ଏତେ ସକ୍ରିୟ ରହିଛି । ନିର୍ବାଚନ ସରିଲେ ଚିଟଫଣ୍ଡ ପରି ମାମଲା ଥଣ୍ଡା ପଡିଯିବ ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।