ୟୁସିସିକୁ ନେଇ ବିଜେପିର ହାତ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ, ପିଏମକେ କହିଲା ଏହା ରାଷ୍ଟ୍ରୀୟ ଏକତା ବିରୋଧୀ ଆଇନ

500

କନକ ବ୍ୟୁରୋ : ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା କଥା କହୁଥିବା ବିଜେପି ଏବେ ଏହି ମାମଲାରେ ଏକା ପଡିଯାଇଥିବା ନଜରକୁ ଆସିଛି । ୟୁସିସିକୁ ନେଇ ସାରା ଦେଶରେ ବିରୋଧୀଦଳମାନେ ବିରୋଧ କରୁଥିବା ବେଳେ ବିଜେପିର ସହଯୋଗୀ ଦଳମାନେ ବି ଏବେ ସେମାନଙ୍କ ସ୍ୱରରେ ସ୍ୱର ମିଳାଇବା ଆରମ୍ଭ କରିଛନ୍ତି । ଏବେ ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଛି ତାମିଲନାଡୁରେ ବିଜେପି ସହ ମେଣ୍ଟ କରିଥିବା ପିଏମକେ । ପିଏମକେ ତରଫରୁ କୁହାଯାଇଛି କି, ୟୁସିସି ରାଷ୍ଟ୍ରୀୟ ଏକତା ଓ ବିକାଶ ବିରୋଧୀ ଆଇନ । ପିଏମକେ ଅଧ୍ୟକ୍ଷ ଡ. ଅମ୍ବୁମଣି ରାମଦାସ ଆଇନ ଆୟୋଗ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି କି, ତାଙ୍କ ପାର୍ଟି ୟୁସିସି ଆଇନକୁ ବିରୋଧ କରୁଛି ।

ସେହିଭଳି ବିଜେପି ସହ ମେଣ୍ଟରେ ଥିବା ଏଆଇଏଡିଏମକେ ମୁଖ୍ୟ ପାଲାନିସ୍ୱାମୀ ବହୁ ପୂର୍ବରୁ ୟୁସିସିକୁ ନେଇ ଦଳର ମତ ସ୍ପଷ୍ଟ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ବେଳେ ଦଳ ତାର ଇସ୍ତାହାରରେ ଉଲ୍ଲେଖ କରିଥିଲା କି ସମାନ ନାଗରିକ ସଂହିତା ପାଇଁ ସମ୍ବିଧାନରେ କୌଣସି ସଂଶୋଧନ ନକରିବାକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିବେ । କାରଣ ଭାରତରେ ୟୁସିସି ଲାଗୁହେଲେ ତାହା ଦେଶର ଅଳ୍ପ ସଂଖ୍ୟକଙ୍କ ଧାର୍ମିକ ଅଧିକାର ଉପରେ ଖରାପ ପ୍ରଭାବ ପକାଇବ ବୋଲି ପାଲାନିସ୍ୱାମୀ କହିଛନ୍ତି ।

ପୂର୍ବତ୍ତୋରରେ ବିଜେପିର ସହଯୋଗୀ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କାନରଡ ସାଂଗମା ଜୁନ ୩୦ ତାରିଖରେ ୟୁସିସିକୁ ନେଇ ନିଜର ମତ ରଖିଥିଲେ । ସେ କହିଥିଲେ କି ସମାନ ନାଗରିକ ସଂହିତା ଭାରତର ବାସ୍ତବିକ ବିଚାରଧାରର ବିପରିତ ଅଟେ । ଏହା ଦେଶପାଇଁ ଠିକ୍ ନୁହେଁ, ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ, ବିବଧତା ଆମର ଶକ୍ତି ବୋଲି ସେ କହିଥିଲେ । ସୂଚନା ଥାଉକି ମେଘାଳୟରେ ବିଜେପି ଓ ଏନପିପିର ମେଣ୍ଟ ସରକାର ରହିଛି ।

ସେହିଭଳି ନାଗାଲ୍ୟାଣ୍ଡରେ ବିଜେପିର ସହଯୋଗୀ ଏନଡିପିପି ମଧ୍ୟ ୟୁସିସି ଲାଗୁ କରିବାକୁ ନେଇ ବିରୋଧ କରିଛି । ଏନଡିପିପି ତରଫରୁ କୁହାଯାଇଛି କି ୟୁସିସି ଦେଶର ଅଳ୍ପ ସଂଖ୍ୟକ ଓ ଆଦିବାସୀ ଲୋକଙ୍କ ସ୍ୱତନ୍ତ୍ରତା ଓ ଅଧିକାର ଉପରେ ନକରାତ୍ମକ ପ୍ରଭାବ ପକାଇବ ।

ଅନ୍ୟପଟେ ପଞ୍ଜାବରେ ବିଜେପିର ସହଯୋଗୀ ଦଳ ଶିରୋମଣୀ ଅକାଳୀ ଦଳ ମଧ୍ୟ ୟୁସିସିକୁ ବିରୋଧ କରିଛି । ଦଳର ଦିଲ୍ଲୀ ରାଜ୍ୟ ମୁଖ୍ୟ ପରମଜିତ ସିଂ ସରନା କହିଛନ୍ତି ବିନା କୌଣସି ଆଲୋଚନାରେ ଆଇନ କମିଶନଙ୍କ ଦ୍ୱାରା ଧାର୍ମିକ ସଂସ୍ଥାମାନଙ୍କ ସହ ସମାନ ନାଗରିକ ସଂହିତା ନେଇ କିଭଳି ପରାମର୍ଶ ମଗାଯାଇପାରିବ ।