ରୁଷ-ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ କଥାବାର୍ତ୍ତା । ଯୁଦ୍ଧ ନୁହେଁ, ଆଲୋଚନା ଉପରେ ମୋଦୀଙ୍କ ଗୁରୁତ୍ୱ ।

208

କନକ ବ୍ୟୁରୋ : ୟୁକ୍ରେନ ରୁଷ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଆଜି ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ରହିଥିବାବେଳେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ମୋଦି । ଏଥିସହ ଫସି ରହିଥିବା ଭାରତୀୟଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇପାରିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ରୁଷ-ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ଆଲୋଚନା । ଯୁଦ୍ଧ ନୁହେଁ, ଆଲୋଚନା ଉପରେ ମୋଦୀଙ୍କ ଗୁରୁତ୍ୱ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦେଶର ମୁଖିଆଙ୍କ ସହ କଥା ହୋଇଛନ୍ତି । ଯୁଦ୍ଧର ଅନ୍ତ କେବେ ହେବ ସମସ୍ତେ ଅପେକ୍ଷା କରିଛନ୍ତି । ଏପରି ସ୍ଥିତିରେ ଉଭୟ ଦେଶର ନେତାଙ୍କ ସହ ବିଭିନ୍ନ ଦେଶର ନେତା ଫୋନରେ କଥା ହେଉଛନ୍ତି । ସୋମବାର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବା ବେଳେ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ତେଣୁ ଯୁଦ୍ଧ ବନ୍ଦ କରି ସିଧା ୟୁକ୍ରେନ ପ୍ରତିପକ୍ଷଙ୍କ ସହ କଥା ହୁଅନ୍ତୁ ବୋଲି ମୋଦୀ ପୁଟିନଙ୍କୁ କହିଛନ୍ତି । କେବଳ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିହେବ ବୋଲି ମୋଦୀ କହିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ୍ ଧରି ଆଲୋଚନା ହୋଇଥିଲା ।

ସେହିପରି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ ମଧ୍ୟ ସୋମବାର ସକାଳେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ୟୁକ୍ରେନରୁ ଉଦ୍ଧାରକାର୍ଯ୍ୟ ପାଇଁ ସହଯୋଗ କରୁଥିବାରୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ଏହି ସମୟରେ ଜେଲେନସ୍କି ମୋଦୀଙ୍କୁ ଉଭୟ ଦେଶ ମଧ୍ୟରେ ଥିବା ବିବାଦ ବାବଦରେ ଅବଗତ କରାଇଛନ୍ତି । ଆଉ ରୁଷିଆ ସହିତ ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ମୋଦୀଙ୍କୁ ଜେଲେନସ୍କି ଅପିଲ୍ କରିଛନ୍ତି । କୁହାଯାଉଛି ମୋଦୀ ମଧ୍ୟ ରଷିଆ ଓ ୟୁକ୍ରେନ ବିବାଦର ସମାଧାନ ନେଇ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଥିବା ଜଣାଇଛନ୍ତି ।

ମୋଦୀ ଦୁଇ ଦେଶର ନେତାଙ୍କୁ ଫୋନ୍ କରିବା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ୟୁକ୍ରେନର ସୁମୀରେ ଅନେକ ଭାରତୀୟ ଫସି ରହିଛନ୍ତି । ତେଣୁ ଉଦ୍ଧାର କରିବାକୁ ହେଲେ ଏଠାରେ ରୁଷ ସେନାର ସହଯୋଗ ଦରକାର । ସେହିପରି ୟୁକ୍ରେନ ସରକାରକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ମୋଦୀ କହିଛନ୍ତି । ଆଉ ଉଭୟ ଦେଶର ନେତା ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି । ରୁଷ ବିପକ୍ଷରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରହିଛନ୍ତି । ଭାରତ ଏଯାବତ ଅନ୍ତର୍ଜାତୀୟ ମଞ୍ଚରେ ଯୁଦ୍ଧ ନୁହେଁ ଆଲୋଚନା ହୋଇ ବିବାଦର ସମାଧାନ ହେଉ ବୋଲି କହି ନିଜର ଆଭିମୁଖ୍ୟ ମାପିଚୁପି ରଖୁଛି । ନିକଟରେ ପୁଟିନଙ୍କ ସହ କଥାହେବା ପରେ ୟୁକ୍ରେନର ଖାରକିଭରୁ ସୁରକ୍ଷିତ ଭାବେ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର କରିଡର ମଧ୍ୟ ତିଆରି ହୋଇଥିଲା । ତେଣୁ ମୋଦୀଙ୍କ କଥା ପୁଟିନ ଶୁଣୁଛନ୍ତି ବୋଲି କୁହାଯାଉଛି ।

ତେଣୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ନେତା ହିଁ ଏହି ଦୁଇ ଦେଶର ବିବାଦର ସମାଧାନ ପାଇଁ ଗୋଟିଏ ବଡ ଭୂମିକା ନିଭାଇପାରିବେ ବୋଲି କୁହାଯାଉଛି । ମୋଦୀଙ୍କ ଘୋର ବିରୋଧୀ ତଥା ଟିଏମସି ନେତା ଯଶବନ୍ତ ସିହ୍ନା ମଧ୍ୟ ସମାନ କଥା ନିକଟରେ କହିଥିଲେ ।

ଗୋଟିଏ ପଟେ ୟୁକ୍ରେନ ସହ ଆମେରିକା ଏବଂ ୟୁରୋପୀୟ ଦେଶ ଠିଆ ହୋଇଛନ୍ତି । ଅନ୍ୟପଟେ ନିରପେକ୍ଷ ଆଭିମୁଖ୍ୟ ରଖୁଛନ୍ତି ଭାରତ ଓ ଚୀନ । ଏପରି ସ୍ଥିତିରେ ଭାରତ ଓ ଚୀନ ଚାହିଁଲେ ଠିକ ଭାବେ ମଧ୍ୟସ୍ଥତା କରିପାରିବେ । କାରଣ ରୁଷିଆ ରାଷ୍ଟ୍ରପତି ଭାରତ ଓ ଚୀନର ନିକଟତର ।