ତିନି ମହାନଗର ମେୟର ପଦ ପାଇଁ ମୈଦାନ ପ୍ରସ୍ତୁତ । ବିରାଟ ପଟୁଆରରେ ନାମାଙ୍କନ କଲେ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ।

104

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ । ଏଥର ମଇଦାନରେ ଆରମ୍ଭ ହେବ ଅସଲ ଲଢ଼େଇ । ଭୁବନେଶ୍ୱରରେ ମେୟର ପଦ ପାଇଁ ଲଢ଼େଇ କରିବେ ବିଜେଡିର ସୁଲୋଚନା ଦାସ, ବିଜେପିର ସୁନୀତି ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ । ସେହିପରି ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ମେୟର ପଦ ପାଇଁ ନେତା ଓ କର୍ମୀଙ୍କ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ପ୍ରାର୍ଥୀ ।

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗରର ମେୟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଆଉ ଏହାସହ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ । ନାମାଙ୍କନ ପତ୍ର ଦାଖଲ ବେଳେ ସବୁ ଦଳକୁ ଟପିଯାଇଛି ବିଜେଡି ରାଲି । ବିଶାଳ ପଟୁଆର ସହ ଦଳୀୟ ନେତାଙ୍କ ଗହଣରେ ପ୍ରାର୍ଥୀ ଆସି ନାମାଙ୍କନ ଭରିଛନ୍ତି । ତେବେ ଶାସକ ଦଳର ରାଲି ଆଗରେ ଫିକା ପଡ଼ିଯାଇଛି ପ୍ରମୁ୍ଖ ବିରୋଧୀ ଦଳ ବିଜେପି । ଏପରିକି କଂଗ୍ରେସ ତୁଳନାରେ ବି ଫିକା ପଡିଛି ବିଜେପି ରାଲି ।

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଭୁବନେଶ୍ୱର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିଶାଳ ରାଲିରେ ରାଜଭବନରୁ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍ । ତେବେ ଏହି ଦଳର ରାଲି ଭିତରେ ରହିଥିଲା ବଡ଼ ପାର୍ଥକ୍ୟ । ବିଜେଡିର ବିଶାଳ ରାଲି ଆଗରେ ଫିକା ପଡ଼ି ଯାଇଛି ବିଜେପିର ପଟୁଆର । ବିଜେଡି ରାଲିରେ ପ୍ରାର୍ଥୀଙ୍କ ସହ ସାମିଲ ହୋଇଥିଲେ ଦଳର ବଡ଼ ବଡ଼ ନେତା । କିନ୍ତୁ ବିଜେପି ରାଲିରେ ସେପରି ଦେଖିବାକୁ ମିଳିନଥିଲା । ଏପରିକିି ରବିବାର ଦିନ ନାମାଙ୍କନ ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ରାଲି ଆଗରେ ବି ଫିକା ପଡିଯାଇଛି ବିଜେପି ।

ଭୁବନେଶ୍ୱର ମେୟର ନାମାଙ୍କନ ଦାଖଲରେ ବେଳେ ବିଜେପି ପ୍ରାର୍ଥୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରେ ସେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଜେଡିର କଟକ ମେୟର ପ୍ରାର୍ଥୀ ସୁବାସ ସିଂ ମଧ୍ୟ ଶେଷଦିନରେ ନାମାଙ୍କନ ଦାଖଲ କରିଛନ୍ତି । ବିଶାଳ ରାଲିରେ ଆସି ପ୍ରାର୍ଥୀପତ୍ର ଭରିଛନ୍ତି ସୁବାସ । ଅନ୍ୟପଟେ ସିଲଭର ସିଟିର ମେୟର ପଦ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ନାମାଙ୍କନ ଦାଖଲ କରିଛନ୍ତି । ନେତା ଓ କର୍ମୀଙ୍କ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ଶ୍ରୀତମ । ସେହିପରି ବ୍ରହ୍ମପୁର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ କର୍ମୀ ଓ ନେତାଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ପ୍ରାର୍ଥୀ ସବିତା ସୁଆର ମଧ୍ୟ ନାମାଙ୍କନ କରିଛନ୍ତି । ଶେଷଦିନରେ ମଞ୍ଜୁ ରଥଙ୍କୁ ବ୍ରହ୍ମପୁର ମେୟର ପଦ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ ।