ରାଜ୍ୟସଭାରେ ଅବସର ନେବାକୁ ଥିବା ସାଂସଦଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଦନା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

205

କନକ ବ୍ୟୁରୋ : ୫୬ ଜଣ ରାଜ୍ୟସଭା ସାଂସଦ ଅବସର ନେବାକୁ ଯାଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସ୍ମରଣ କରିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ହ୍ୱିଲଚେୟାରରେ ସେ ଆସି ତାଙ୍କ କାର୍ଯ୍ୟ କରିଛନ୍ତି । ସଂସଦରେ ବିଭିନ୍ନ ସମୟରେ ଶାସକ ଦଳ ଜିତିବ ବୋଲି ସମସ୍ତେ ଜାଣିଥାନ୍ତି । କିନ୍ତୁ ମନମୋହନ ସିଂହ ହ୍ୱିଲଚେୟାରରେ ଆସି ତାଙ୍କର ଉପସ୍ଥିତି ଜାହିର କରିଥାନ୍ତି । ଏହା ତାଙ୍କ କାର୍ଯ୍ୟ ପ୍ରତି ସମର୍ପଣ ଭାବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୌଣସି ସାଂସଦ କେବେ ବି ସଂସଦରୁ ଅବସର ଗ୍ରହଣ କରନ୍ତି ନାହିଁ କିନ୍ତୁ ଏକ ମୂଲ୍ୟବାନ ଐତିହ୍ୟ ଛାଡି ଯାଆନ୍ତି । ନିଜ କାର୍ଯ୍ୟକାଳରେ ପ୍ରତ୍ୟେକ ସାଂସଦ ଦେଶର ରାଜନୀତି ଓ ବିକାଶରେ କିଛି ନା କିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାନ୍ତି । ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେ ନିଜ ଦାୟିତ୍ୱ ପ୍ରତି ସର୍ବଦା ସଚେତନ । ସେ ନିଜର ମୂଲ୍ୟବାନ ଚିନ୍ତାଧାରା ବଳରେ ଦେଶ ପାଇଁ ଏକ ବଡ଼ ଅବଦାନ ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ବି ଗଣତନ୍ତ୍ର ଉପରେ ଆଲୋଚନା ହେବ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସବୁବେଳେ ସ୍ମରଣୀୟ ରହିବେ । ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ସେ ସର୍ବଦା ପରିଚିତ ରହିବେ ।