୨୦୨୪ ନିର୍ବାଚନରେ କିଏ ମାରିବ ବାଜି । ମୋଦୀଙ୍କ ମିଶନ ୪୦୦ ପରେ ଆସିଲା ସର୍ଭେ ରିପୋର୍ଟ, ଏନଡିଏକୁ ବହୁମତ, ପଛରେ ପଡିବ ଇଣ୍ଡିଆ ମେଂଟ

1,102

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ କିଏ ଜିତିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ବିଜେପି କ’ଣ ଏଥର ପ୍ରକୃତରେ ୩୭୦ ଆସନ ଜିତିପାରିବାରେ ସକ୍ଷମ ହେବ? ଲୋକସଭାରେ ଏନଡିଏକୁ ୪୦୦ ଆସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ପୂର୍ବାନୁମାନ କରିଛନ୍ତି, ତାହା ଏବେ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଏକ ସର୍ଭେ ସାମ୍ନାକୁ ଆସିଛି, ଯେଉଁଥିରେ ଜାଣିବାକୁ ଚେଷ୍ଟା କରାଯାଇଛି ଯେ ଏବେ ଦେଶର ମୁଡ୍ କ’ଣ? ଯଦି ଏବେ ନିର୍ବାଚନ ହୁଏ ତେବେ ଏନଡିଏକୁ କେତେ ଆସନ ମିଳିବ, କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଂଟର ଅବସ୍ଥା କ’ଣ ରହିବ । ଟାଇମ୍ସ ନାଓ ସର୍ଭେରେ ଏହାର ଏକ ଆକଳନ ସାମ୍ନାକୁ ଆସିଛି ।

ବିଜେପି ସବୁଠାରୁ ବଡ଼ ଦଳ ଭାବେ ବିଜୟୀ ହେବ ବୋଲି ସର୍ଭେରୁ ଜଣାପଡିଛି । ୨୦୧୯ ତୁଳନାରେ ୨୪ରେ ଏନଡିଏ ଅଧିକ ଆସନ ଜିତିବ । ସର୍ଭେରେ ଏନଡିଏକୁ ୩୬୬ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ଇଣ୍ଡିଆ ମେଂଟକୁ ୧୦୪ ଓ ଅନ୍ୟମାନଙ୍କୁ ୭୩ ଆସନ ମିଳିପାରେ । ଏପ୍ରିଲରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଉ ୩ ମାସ ବାକି ଅଛି । ଏଭଳି ସ୍ଥିତିରେ ଏନଡିଏର ୪୦୦ ଅତିକ୍ରମ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସଦ୍ୟତମ ସର୍ବେକ୍ଷଣରୁ ଆକଳନ କରାଯାଉଛି । ତେବେ ଇଣ୍ଡିଆ ଟୁଡେର ସର୍ଭେରୁ ଜଣାପଡିଛି ୨୦୧୯ରେ ବିଜେପି ୟୁପିରେ ଏକାକୀ ୬୨ଟି ଆସନ ଜିତିଥିଲା । ହେଲେ ୨୦୨୪ରେ ଏହି ସଂଖ୍ୟା ୭୦ ଟପିପାରେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାଦୁ ଉତ୍ତର ଭାରତର ରହିଛି । ହେଲେ ଦକ୍ଷିଣ ଭାରତରେ ଏହା ଏବେ ବି ପ୍ରଭାବ ନାହିଁ । ପଞ୍ଜାବ ବ୍ୟତୀତ ଉତ୍ତର ଭାରତରେ ବିଜେପି ସର୍ବାଧିକ ଆସନ ଜିତିସାରିଥିବା ବେଳେ ଦକ୍ଷିଣରେ କର୍ଣ୍ଣାଟକକୁ ଛାଡ଼ି ଦେଲେ ବାକି ରାଜ୍ୟରେ ଦଳର ଦଳର ସ୍ଥିତି ଭଲ ନାହିଁ । ଏଭଳି ସ୍ଥିତିରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଓଡ଼ିଶା ଓ ପଞ୍ଜାବ ଭଳି ରାଜ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିଶନ ୪୦୦ ପାଇଁ ବାଧକ ସାଜିଛି । ବିଜେପିକୁ ଏହି ସବୁ ରାଜ୍ୟରେ କେବଳ କଂଗ୍ରେସ ନୁହେଁ ଆଂଚଳିକ ଦଳସହ ଲଢ଼ିବାକୁ ପଡ଼ିବ ।

୨୦୨୪ ଲୋକସଭା ନିର୍ବାଚନରେ ଏନଡିଏକୁ କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ନିଜର ଆସନ ବୃଦ୍ଧି କଲେ ମିଶନ ୪୦୦ ସମ୍ଭବ । କାରଣ ଏହି ରାଜ୍ୟଗୁଡ଼ିକରେ ବିଜେପି ଜିତିବାର ସୁଯୋଗ ରହିଛି । ଓଡ଼ିଶାରେ ବିଜେପିକୁ ୮ରୁ ୧୨ ଆସନ ଜିତିବାକୁ ହେବ । ପଶ୍ଚିମବଙ୍ଗରେ ୨୦୧୯ରେ ଜିତିଥିବା ୧୮ଟି ଆସନକୁ ବଜାୟ ରଖିବା ଚ୍ୟାଲେଞ୍ଜ । ପଞ୍ଜାବରେ ବିଜେପି ପ୍ରଥମ ଥର ପାଇଁ ସମସ୍ତ ୧୩ଟି ଆସନରେ ଲଢ଼ିବ । ଯେଉଁଥିପାଇଁ ବିଜେପିକୁ ନିଜର ଆସନ ୨ରୁ ୫କୁ ବୃଦ୍ଧି କରିବାକୁ ପଡ଼ିବ   । ବିଜେପି ସାରା ଦେଶରେ ୨୪୦ଟି ଦୁର୍ବଳ ଆସନକୁ ୩, ୪ଟି କ୍ଲଷ୍ଟରରେ ପରିଣତ କରିଛି । ଦଳର ପ୍ରତ୍ୟେକ ବରିଷ୍ଠ ନେତାଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି । ବିଜେପି ଅଧ୍ୟକ୍ଷ ଜୟପ୍ରକାଶ ନଡ୍ଡା ଏବଂ ଅମିତ ଶାହା ଏହି ଲୋକସଭା କ୍ଲଷ୍ଟର ପ୍ରଭାରୀମାନଙ୍କ ସହ ବୈଠକ କରିଛନ୍ତି ।