ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସନ୍ଦେଶଖାଲି ପୀଡିତା । କହିଲେ ଏବେବି ମିଳୁଛି ଧମକ । ପ୍ରଧାନମନ୍ତ୍ରୀ କହିଲେ ମମତାଙ୍କୁ ଜବାବ ଦେବେ ନାରୀଶକ୍ତି

125

କନକ ବ୍ୟୁରୋ : ବେଙ୍ଗଲରେ ଜନସଭା କରି କ୍ଷମତାସୀନ ଟିଏମସି ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶେଷ କରି ସନ୍ଦେଶଖାଲି ଘଟଣାକୁ ମୁଖ୍ୟପ୍ରସଙ୍ଗ କରି ମମତା ବାନାର୍ଜୀଙ୍କ ସରକାରକୁ ଭର୍ତ୍ସନା କରିଛନ୍ତି । ତୃଣମୂଳ କଂଗ୍ରେସ ମୁଖ୍ୟ ଅଭିଯୁକ୍ତଙ୍କୁ ବଂଚାଇବାକୁ ଚେଷ୍ଟା କରୁଥିବା ସେ, ଅଭିଯୋଗ କରିଛନ୍ତି । ମୋଦୀ କହିଛନ୍ତି, ସନ୍ଦେଶଖାଲି ଅଭିଯୁକ୍ତଙ୍କୁ ମମତା ବାନାର୍ଜୀଙ୍କ ସରକାର ଘଂଟ ଘୋଡାଉଛି । ଏହି ମାଟିରେ ମହିଳାମାନଙ୍କୁ ନିର୍ଯାତନା ଦିଆଯାଇଛି । ସନ୍ଦେଶଖାଲିରେ ଯାହା ଘଠିଛି, ତାହା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ମୋଦୀ କହିଛନ୍ତି ।

ଉତର ୨୪ ପରଗଣାର ବରାସତରେ ପହଁଚି ମହିଳା ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ସନ୍ଦେଶଖାଲିର ୫ଜଣ ପୀଡିତା ମହିଳାଙ୍କୁ ଭେଟି ସେମାନଙ୍କ ଉପରେ ହୋଇଥିବା ନିର୍ଯାତନାର କାହାଣୀ ଶୁଣିଛନ୍ତି ପ୍ରଧାନମନ୍ତ୍ରୀ । ସୂଚନା ଅନୁସାରେ, ମୋଦୀଙ୍କୁ ଭେଟି କାନ୍ଦି ପକାଇଥିଲେ ସନ୍ଦେଶଖାଲିର ପୀଡିତା । ପ୍ରଧାନମନ୍ତ୍ରୀଙ୍କୁ ନିଜ ଉପରେ ହୋଇଥିବା ନିର୍ଯାତନାର କାହାଣୀ କହିଥିଲେ । ଆଉ ସେମାନଙ୍କ କାହାଣୀ ବେଶ ଶାନ୍ତ ଓ ଧର୍ଯ୍ୟର ସହ ଶୁଣିଥିଲେ ପ୍ରଧାନମନ୍ତ୍ରୀ । ସନ୍ଦେଶଖାଲି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମମତାଙ୍କ ସରକାରଙ୍କୁ ଖୁବ୍ ନିନ୍ଦା କରିଛନ୍ତି ।

ସନ୍ଦେଶଖାଲିରେ ନିଲମ୍ବିତ ଟିଏମ୍ସି ନେତା ଶେଖ୍ ଶାହାଜାହାଁ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡପ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ହେଲା ଶାହଜାହାଁ ଓ ତାର ସହଯୋଗୀ ଏଭଳି କାରନାମା ଚଲାଇଥିବାବେଳେ ପୂରା ଘଟଣା ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ରହିଛି ସନ୍ଦେଶଖାଲି ।

ପଶ୍ଚିମ ବଙ୍ଗରେ ମହିଳାଙ୍କୁ ସୁରକ୍ଷା ଦିଆଯାଉ ନଥିବା କହି ମମତାଙ୍କ ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଏପଟେ ମମତା ବାନାର୍ଜୀଙ୍କ ସରକାର ଶାହାଜାହାଁ ଶେଖଙ୍କୁ ବଂଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।