ଇସ୍ରୋ ବୈଜ୍ଞାନିକଙ୍କୁ ମନା ହେଇଥିଲା ଅତର । ଗୋଟିଏ ମାସ ପର୍ଯ୍ୟନ୍ତ ଅତର ବ୍ୟବହାର କରିନଥିଲେ ଇସ୍ରୋ ବୈଜ୍ଞାନିକ । ସାମ୍ନାକୁ ଆସିଲା ରୋଚକ ତଥ୍ୟ ।

467

କନକ ବ୍ୟୁରୋ: ସଫଳତାର ସହ ଇସ୍ରୋର ଅନ୍ୟତମ ବଡ଼ ମହାକାଶ ଅଭିଯାନ ଆଦିତ୍ୟ ଏଲ ୱାନ ଲଞ୍ଚ୍ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ବୈଜ୍ଞାନିକଙ୍କ ଅଦମ୍ୟ ଚେଷ୍ଟା, ପରିଶ୍ରମ ବଳରେ ସୂର୍ଯ୍ୟ ମିଶନ ଆରମ୍ଭ ହୋଇଛି । ଏବେ ଏହି ମିଶନ ପଛର କିଛି ରୋଚକ କଥା ସାମ୍ନାକୁ ଆସିଛି । ଏହି ମିଶନକୁ ସଫଳ କରିବା ପାଇଁ ଇସ୍ରୋ ବୈଜ୍ଞାନିକ ଓ ଇଜିଂନିୟରମାନଙ୍କୁ ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ । ମିଳିଥିବା ସୂଚନା ଅନୁସାରେ ମିଶନ ଆରମ୍ଭ ଦିନରୁ ହିଁ ବୈଜ୍ଞାନିକମାନଙ୍କୁ ପରଫ୍ୟୁମ ବା ଅତର ବ୍ୟବହାର ନକରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଆଦିତ୍ୟ ଏଲ ୱାନ ମହାକାଶଯାନ ତିଆରି କରିଥିବା ବୈଜ୍ଞାନିକମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଏବେ ଜଣାପଡିଛି । ଗୋଟିଏ ମାସ ପାଇଁ ସେମାନେ ଏହା ବ୍ୟବହାର କରନଥିଲେ ।

ମିଳିଥିବା ସୂଚନା ଅନୁସାରେ ଆଦିତ୍ୟ ଏଲ-ୱାନ ସୌର ମିଶନର ମୁଖ୍ୟ ପେ’ଲୋଡ୍ ପାଇଁ କାମ କରୁଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଆଷ୍ଟ୍ରୋଫିଜିକ୍ସ ବା ଆଇଆଇଏର ବୈଜ୍ଞାନିକ ଓ ଇଂଜିନିୟରଙ୍କ ପାଇଁ ପରଫ୍ୟୁମ ବ୍ୟବହାର ମନା କରାଯାଇଥିଲା । ଏହାର କାରଣ ହେଉଛି ଆଦିତ୍ୟ ଏଲୱାନର ମୁଖ୍ୟ ପେ’ଲୋଡ୍ ଭିଜିବୁଲ ଏମିସନ ଲାଇନ ଗ୍ରାଫ ବା ଭେଲ୍କ ପାଇଁ କାମ କରୁଥିବା ଗବେଷକମାନଙ୍କୁ ଛୋଟିଆ କଣିକା ବି ବାଧା ପ୍ରଦାନ କରିପାରେ । ବାସ୍ତବରେ ଏକ ଷ୍ଟେରଲାଇଜଡ଼ ବା ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ବୈଜ୍ଞାନିକ ଓ ଇଂଜିନିୟରମାନେ ଏପରି ସ୍ୱଚ୍ଛ ପ୍ରକୋଷ୍ଠରେ କାମ କରୁଥିଲେ, ଯାହା ଉନ୍ନତମାନର ଡାକ୍ତରଖାନା ଆଇସିୟୁଠୁ ୧୦୦ ଗୁଣା ଅଧିକ ପରିଷ୍କାର ।

ଟିମର ସଦସ୍ୟ ଅତି ସ୍ୱଚ୍ଛ ସଂକ୍ରମଣ ରହିତ ପୋଷାକ ପରିଧାନ କରିଥିଲେ ।ଏନେଇ ସୂଚନା ଦେଇଛନ୍ତି ପେ’ଲୋଡ୍ ଭିଜିବୁଲ ଏମିସନ ଲାଇନ ଗ୍ରାଫର ମୁଖ୍ୟ ନାଗଭୂଷଣ ଏସ । କୌଣସି ବାହ୍ୟ କଣିକା ଯେପରି ବୈଜ୍ଞାନିକମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରେ ସେଥିପାଇଁ ସେମାନେ ହେପା ବା ହାଇ ଏଫିସିଏଣ୍ଟ ପାର୍ଟିକୁଲାର ଏୟାର ଫିଲଟର ଆଇସୋପ୍ରୋପାଇଲ ଆଲକୋହଲ ବ୍ୟବହାର ସହ କଡ଼ାକଡ଼ି ପ୍ରୋଟୋକଲ ମାନିଥିଲେ । ଏକ ସାମାନ୍ୟ କଣିକା ଅନେକ ଦିନର କାମକୁ ନଷ୍ଟ କରିବାର ଆଶଙ୍କା ସୃଷ୍ଟି କରିଥାଏ ବୋଲି ନାଗଭୂଷଣ ସ୍ପଷ୍ଟ କରିଛନ୍ତି । ଯେଉଁଥିପାଇଁ ମିଶନ ସହ ଜଡିତ ବୈଜ୍ଞାନିକ ଓ ଇଂଜିନିୟନଙ୍କୁ ପରଫ୍ୟୁମ ବ୍ୟବହାର ମନା ଥିଲା ।