ଗାଁ ଗାଁକୁ ମାଡିଯାଇଛି ପିସି କାରବାର ! ଘର ପାଇଁ ଦେବାକୁ ପଡୁଛି ସବୁଠାରୁ ବେଶୀ ହାତଗୁଞ୍ଜା, ଭିଜିଲାନ୍ସ ଦେଲା ରିପୋର୍ଟ

41

କନକ ବ୍ୟୁରୋ : ପିସି ବା ପରସେଂଟେଜ୍ କାରବାର ପୂରା ବ୍ୟବସ୍ଥାକୁ ବିଷାକ୍ତ କରିଦେଇଛି । ଲାଂଚ ନାହିଁ ତ କାମ ନାହିଁ । ଗାଁ ଗାଁରେ ମାଡିଯାଇଛି ଏହି ପରମ୍ପରା । ବିଶେଷ କରି ସରକାରୀ ସ୍କିମରେ ଘର ଖଣ୍ଡେ ପାଇବାକୁ ହେଲେ ହାତଗୁଞ୍ଜା ଦେବାକୁ ବାଧ୍ୟ । କନକ ନ୍ୟୁଜ ଏହା ବିରୋଧରେ ଅଭିଯାନ ଚଳାଇ ଆସିଥିଲା । ଆଜି ଭିଜିଲାନ୍ସ ମଧ୍ୟ ଏହି ସତକୁ ସ୍ୱୀକାର କରିଛି । ଗତ ୬ ମାସ ମଧ୍ୟରେ ରୁରାଲ୍ ହାଉସିଂ ସ୍କିମରେ ଲାଂଚ ନେଉଥିବା ଅଭିଯୋଗରେ ୨୧୬ ଜଣ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

pcରାଜ୍ୟର ଗାଁ, ଗାଁ କୁ ବ୍ୟାପିଛି ପିସି କାରବାର । ବିନା ଲାଂଚରେ ଘୁଞ୍ଚୁନାହିଁ ସରକାରୀ ବାବୁଙ୍କ ଫାଇଲ୍ । ଗାଁ ଗାଁରେ ଛୋଟ ମୋଟ କାମ କରିବାକୁ ହେଲେ ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେବାକୁ ପଡେ । ବିନା ଲାଞ୍ଚରେ କିଛି କାମ ହୁଏ ନାହିଁ । ପରିସ୍ଥିତି ଏପରି ହୋଇଛି ଯେ ପିସି ବା ପରସେଂଟେଜକୁ ନିଜ ହକ୍ ବୋଲି ଭାବନ୍ତି କିଛି ଅଧିକାରୀ । ଏ ନେଇ ଲୋକ ଓ ସରକାରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ କନକ ନ୍ୟୁଜ ଚଳାଇଥିଲା ଅଭିଯାନ । ଆଜି ଭିଜିଲାନ୍ସ ବିଭାଗ ଯେଉଁ ତଥ୍ୟ ଦେଇଛି, ତାହା ପିସି ସଂପର୍କରେ କନକ ନ୍ୟୁଜର ଆଶଂକାକୁ ପ୍ରମାଣିତ କରୁଛି ।

ଲାଂଚ କାରବାର ଉପରେ ଭିଜିଲାନ୍ସ ନଜର ରଖିବା ପରେ ପଦାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଚଳିତ ବର୍ଷ ଜୁନ ୨୫ ତାରିଖରୁ ଡିସେମ୍ବର ୨୮ ତାରିଖ ମଧ୍ୟରେ ଅଚାନକ ଚଢାଉ ଓ ଅଫିସରେ ଫାଇଲଗୁଡିକୁ ଯାଂଚ ପରେ ଫିଟିଛି ଗୁମର । ପିସିର ଗନ୍ଧ ବାହାରିବା ପରେ ମାତ୍ର ୬ ମାସ ମଧ୍ୟରେ ଭିଜିଲାନ୍ସ ଦାୟର କରିଛି ୪୫୩ଟି ମାମଲା । ୬୧ ଜଣ କ୍ଲାସ ୱାନ୍ ଅଫିସର, ୬୧ ଜଣ କ୍ଲାସ ଟୁ ଅଫିସର ଏବଂ ୩୮୩ଜଣ କ୍ଲାସ ଥ୍ରୀ ଅଫିସରଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ବିଶେଷ କରି ପଂଚାୟତିରାଜ ବିଭାଗରେ ଇନ୍ଦିରା ଆବାସ ଭଳି ରୁରାଲ୍ ହାଉସିଂ ସ୍କିମ୍ରେ ବେଧଡ଼କ ଭାବେ ଚାଲିଥିବା ପିସି କାରବାରର ପର୍ଦ୍ଦାଫାସ ହୋଇଛି । ତଦନ୍ତ ପରେ ସରକାରୀ ଅଧିକାରୀଙ୍କ ଉପରେ ୬୨ଟି ଅପରାଧିକ ମାମଲା ଦାୟର କରାଯାଇଛି । ୨୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ଅଛନ୍ତି ୨୧ ଜଣ କ୍ଲାସ ୱାନ ଅଫିସର । ୨୪ ଜଣ କ୍ଲାସ ଟୁ ଅଫିସର ଏବଂ ୧୩୯ ଜଣ କ୍ଲାସ ଥ୍ରୀ ଅଫିସର । ଏ ବାବଦରେ ବିଜେଡି କହିଛି ନବୀନ ସରକାର ପିସି କାରବାରକୁ ଦୃଢ ଭାବେ ବିରୋଧ କରୁଛନ୍ତି । ଏପରିକି ପିସି କାରବାରରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ଉପରେ ଦୃଢ କାଯ୍ୟାନୁଷ୍ଠାନ ନେବା ପାଇଁ ଭିଜିଲାନ୍ସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ବିଜେପି କହିଛି, ନବୀନ ସରକାର ସମ୍ପୂର୍ଣ୍ଣ ଭାବେ ପିସି କାରବାରରେ ଲିପ୍ତ ରହିଛି । ୪୫୩ ଜଣ ଅଧିକାରୀଙ୍କ ନାମରେ ପିସି କାରବାର ନେଇ ମାମଲା ରୁଜୁ ହେବା ପରେ ଏହି ସନ୍ଦେହ ଅଧିକ ଦୃଢୀଭୂତ ହୋଇଛି ।