ଓଡିଆ ବୈଜ୍ଞାନିକଙ୍କ ସଫଳତା ! ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିବନି କ୍ୟାନସର, ଗବେଷଣା ପଥରେ ନୂଆ ଔଷଧ

127

କନକ ବ୍ୟୁରୋ : ଓଡିଆ ବୈଜ୍ଞାନିକଙ୍କ ସଫଳତା । କର୍କଟ ରୋଗକୁ ଦେହରେ ବ୍ୟାପିବାକୁ ନଦେବା ପାଇଁ ପ୍ରସ୍ତୁତ କରିଛନ୍ତି ଔଷଧ । ବିଜ୍ଞାନୀ ଡ. ସନ୍ଦୀପ ମିଶ୍ରଙ୍କ ଏହି ଗବେଷଣା ତଥ୍ୟ ଅନ୍ତର୍ଜାତୀୟ ରିସର୍ଚ୍ଚ ଜର୍ନାଲରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଅନ୍ୟପଟେ ଏହି ଗବେଷକ ଦଳ ଏବେ ଏହି ଔଷଧକୁ ପଶୁ ଦେହରେ ପରୀକ୍ଷା କରିବେ । ଏଥିରେ ସଫଳତା ମିଳିଲେ ଶସ୍ତାରେ ମିଳିବ କ୍ୟାନସର ଔଷଧ ।

cancerପ୍ରତିଷ୍ଠିତ ଅନ୍ତର୍ଜାତୀୟ ଗବେଷଣାମୂଳକ ପତ୍ରିକା ବିଏମସି କ୍ୟାନସର ଓ ନେଚରରେ ପ୍ରକାଶିତ ହୋଇଛି ଜଣେ ଓଡିଆ ଗବେଷକଙ୍କ ଗବେଷଣାର ତଥ୍ୟ । ଜୀବ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ସନ୍ଦୀପ କୁମାର ମିଶ୍ର ପାଇଛନ୍ତି ଏପରି ସଫଳତା । କର୍କଟକୁ ରୋକିବା ପାଇଁ ଔଷଧ ପ୍ରସ୍ତୁତି ନେଇ ଦୀର୍ଘ ବର୍ଷ ଧରି ସେ ଏବଂ ତାଙ୍କ ଦଳ ଗବେଷଣା କରି ଆସୁଛନ୍ତି । ତାଙ୍କୁ ଏବେ ମିଳିଛି ଆଖିଦୃଶିଆ ସଫଳତା ।

ମାଲେରିଆ ପାଇଁ ବ୍ୟବହାର ହେଉଥିବା ଔଷଧ ଆର୍ଟେମିସିନିନ୍ ଓ ଏର-ବିଟା ମଲିକୁଲକୁ ଏକାଠି ବ୍ୟବହାର କରି ସ୍ତନକର୍କଟ ରୋଗକୁ ଶରୀରରେ ବ୍ୟାପିବାରେ ରୋକିବା ପାଇଁ ସନ୍ଦିପ ମିଶ୍ରଙ୍କ ଟିମ୍ ଉଦ୍ୟମ କରୁଛନ୍ତି । ପରୀକ୍ଷାଗାରରେ କୋଷ ସ୍ତରରେ ସଫଳତା ମିଳିଥିବା ବେଳେ ଏହା ଏବେ ଧଳାମୂଷା କ୍ଷେତ୍ରରେ ପରୀକ୍ଷା କରାଯିବ । ଏହି ଗବେଷଣାରେ ସଫଳ ହେଲେ କ୍ୟାନସର ରୋକିବା କ୍ଷେତ୍ରରେ ଏକ ନୂଆ ଆଶା ସୃଷ୍ଟି ହେବ ।

cancer 2ଆନ୍ତର୍ଜାତୀୟ ସ୍ତରର ପତ୍ରିକା ବିଏମସି କ୍ୟାନସର, ନେଚରରେ ତାଙ୍କ ଗବେଷଣା ପ୍ରବନ୍ଧ ପ୍ରକାଶ ପାଇବା ଏକ ବଡ ସଫଳତା । ଆଗାମୀ ଦିନରେ ମଣିଷ ଦେହରେ ପରୀକ୍ଷାମୂଳକ ଭାବେ ଏହି ଔଷଧକୁ ପ୍ରୟୋଗ କରାଯିବ । ଏଥିରେ ସଫଳତା ମିଳିଲେ ଶସ୍ତାରେ କ୍ୟାନସର ପାଇଁ ଔଷଧ ମିଳିପାରିବ । ଏହି ଔଷଧ କ୍ୟାନସର କୋଷକୁ ଅଧିକ ମାଡିବାକୁ ଦିଏ ନାହିଁ ବୋଲି କହିଛନ୍ତି ବୈଜ୍ଞାନିକ ମିଶ୍ର । କର୍କଟ ରୋଗର ପ୍ରାୟ ୩୭ ପ୍ରତିଶତ ସ୍ତନ କର୍କଟ ହୋଇଥିବା ବେଳେ ଏହି ରୋଗରେ ଜୀବନହାନୀର ହାର ବି ବଢି ବଢି ଚାଲିଛି । ଓଡିଆ ଗବେଷକଙ୍କ ଏହି ସଫଳତା ଏପ୍ରକାର ରୋଗୀଙ୍କ ପାଇଁ ନୂଆ ଆଶା ସଂଚାର କରିଛି । ଏହା ସହ ସ୍ୱାସ୍ଥ୍ୟ ବିଜ୍ଞାନରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ।