ବଲାଙ୍ଗୀରରେ ସରକାରୀ ଡାକ୍ତରଙ୍କ ବେସରକାରୀ ଚିକିତ୍ସା: ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ପଠାଉଛନ୍ତି ଘରୋଇ ନର୍ସିଂହୋମ 

114

କନକ ବ୍ୟୁରୋ: ସରକାରୀ ଡାକ୍ତରଙ୍କ ବେସରକାରୀ ଚିକିତ୍ସା । ଘରୋଇ ଡାକ୍ତରଖାନା ପାଇଁ ସାଜିଛନ୍ତି ସରକାରୀ ଦଲାଲ । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ ଦେଉଛନ୍ତି ଡାକ୍ତର । ଯେଉଁ ଅପରେସନ୍ ସରକାରୀ ଡାକ୍ତରଖାନାରେ ମାଗଣାରେ ହୋଇପାରିବ ସେହି ଅପରେସନ୍ ପାଇଁ ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ, ଅଯଥାରେ ଖର୍ଚାନ୍ତ କରାଉଛନ୍ତି । ପୁଣି କେବିକେ ଅଂଚଳରେ ଏଭଳି କରୁଛନ୍ତି ଡାକ୍ତର ବାବୁ । କେବିକେ ଅଂଚଳର ଡାକ୍ତରଖାନାରେ ନିଯୁକ୍ତି ପାଇଥିବାରୁ ଅଧିକ ଇନ୍ସେଟିଭ ଦେଉଛନ୍ତି ସରକାର । ସେତିକିରେ ଡାକ୍ତର ବାବୁଙ୍କ ପକେଟ୍ ଫୁଲ ହେଉନାହିଁ । ସେଥିପାଇଁ ଘରୋଇ ହସ୍ପିଟାଲ ସହ ସଲାସୁତରାରେ ଚାଲିଛି କାରବାର । ବଲାଙ୍ଗୀର ଭିମ ଭୋଇ ମେଡିକାଲ କଲେଜର ଜଣେ ଡାକ୍ତରଙ୍କ ବିରୋଧରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି । ବଲାଙ୍ଗୀରରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ହେବା ପରେ ସରକାରୀ ସ୍ୱାସ୍ଥ୍ୟ ସେବା ଉପରେ ଲୋକଙ୍କ ଭରସା ବଢୁଛି । ହେଲେ କିଛି ଡାକ୍ତରଙ୍କ ଏଭଳି ମନବୃତି ଯୋଗୁଁ ସରକାରଙ୍କ ଯୋଜନା ଓ ସରକାରୀ ଡାକ୍ତରଖାନା ଉଭୟ ବଦନାମ ହେଉଛନ୍ତି । ଗତ ସପ୍ତାହରେ ବେଲପଡା ବ୍ଲକ ବାଗଦୋର ଇଶ୍ୱର ସାଣ୍ଡ ତାଙ୍କ ୫ ବର୍ଷିୟ ପୁଅର ହାଇଦ୍ରୋସିଲ ଚିକିତ୍ସା ପାଇଁ ବଲାଙ୍ଗୀର ଭିମ ଭୋଇ ମେଡିକାଲ କଲେଜକୁ ଆଣିଥିଲେ । ସେଠାରେ ତାଙ୍କର ପରୀକ୍ଷା ନୀରିକ୍ଷା କରିବା ପରେ ପୁଣି ସୋମବାର ଆସିବାକୁ କହିଥିଲେ । ଡାକ୍ତର ସୁବ୍ରତ ପ୍ରଧାନଙ୍କ କଥା ଅନୁସାରେ ଗତ ସୋମବାର ଦିନ ପୁଅକୁ ଧରି ଡାକ୍ତରଖାନାରେ ପହଂଚିଥିଲ ଇଶ୍ୱର ସାଣ୍ଡ ।  ସେଠାରେ ପଂହଚିବା ପରେ ଅପରେସନ ପାଇଁ ରୋଗୀଙ୍କ ଅଜାଣତରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ପଠାଇ ଦେଇଥିଲେ ଡାକ୍ତର ସୁବ୍ରତ ପ୍ରଧାନ । ସେଠାରେ ପହଂଚିବା ପରେ ଅଭିଯୋଗକାରୀ ଜାଣିଥିଲେ ଏହା ଘରୋଇ ନର୍ସିଂହୋମ । ଏଠାରେ ଅପରେସନ୍ କଲେ ଅଧିକ ଟଙ୍କା ଖର୍ଟ ହେବ । ଏହା ଜାଣିବା ପରେ ଇଶ୍ୱର ପୁଅକୁ ସରକାରୀ ଡାକ୍ତରଖାନାକୁ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନର୍ସିଂହୋମ କର୍ତୃପକ୍ଷ ଛାଡୁନଥିବା ଜଣାପଡିଛି ।