କେନ୍ଦ୍ରାପଡାକୁ ଗଡିବ ଯାତ୍ରୀବାହୀ ଟ୍ରେନ୍: ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

1,298

କନକ ବ୍ୟୁରୋ: ଏକଦା ରେଳ ବିହୀନ ଜିଲ୍ଲାର ଆଖ୍ୟା ଅର୍ଜନ କରିଥିବା କେନ୍ଦ୍ରାପଡାରେ ଦୀର୍ଘବର୍ଷ ପରେ ମାଲବାହୀ ଟ୍ରେନ୍ ଗଡିଥିବାବେଳେ, କେବେ ଯାତ୍ରୀବାହୀ ଟ୍ରେନ୍ ଗଡିବ ତାକୁ ଅପେକ୍ଷା କରିଥିଲେ ଜିଲ୍ଲାବାସୀ । ଆଉ ଏବେ କେନ୍ଦ୍ରାପଡା ବାସୀଙ୍କ ସେହି ସ୍ୱପ୍ନ ପୂରଣ ହେବାକୁ ଯାଉଛି ।

ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଳାକୁ ବଡ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରାପଡାକୁ ଗଡିବ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ । ଆସନ୍ତା ପାଂଚ ତାରିଖରେ ଓଡିଶା ଗସ୍ତ ଅବସରରେ, ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏହି ଯାତ୍ରୀବାହୀ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ, ରେଳବାଇ ପକ୍ଷରୁ ପାରଦୀପ, ହରିଦାସପୁର ରେଳପଥରେ ପରୀକ୍ଷାମୂଳକ ଭାବେ ମେମୁ ଟ୍ରେନ ଗଡିଛି । ରେଳ ଧାରଣାର ଟିକନିକ ଯାଂଚ କରିଛନ୍ତି ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ।

ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବା ପୂର୍ବରୁ ୧୫ଟି ବଗି ବିଶିଷ୍ଟ ଟ୍ରେନ୍ କେନ୍ଦ୍ରାପଡାରେ ପହଁଚିଛି । ଆଉ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବା ପରେ, କେନ୍ଦୁଝରରୁ ପାରାଦୀପ ଭାୟା କେନ୍ଦ୍ରାପଡା ଦେଇ ଏହି ଟ୍ରେନ୍ ଯାତ୍ରା କରିବ । ଯାତ୍ରୀବାହୀ ଟ୍ରେନ୍ ଗଡିବା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ଅର୍ଥନୈତିକ ବିକାଶ ହେବ । ଏଥିସହ ଯାତ୍ରୀ ପରିବହନ ସୁଗମ ହେବା ସହ ମା’ ତାରିଣୀ ପୀଠରୁ ବଳଦେବଜୀଉ ପୀଠକୁ ଯାତାୟାତ ସୁଗମ ହେବ ବୋଲି କୁହାଯାଉଛି । ଏପଟେ ଜିଲ୍ଲାରୁ ଯାତ୍ରୀବାହୀ ଟ୍ରେନ୍ ଗଡିବା ଖବର ସାମନାକୁ ଆସିବା ପରେ ଜିଲ୍ଲାବାସୀଙ୍କ ଭିତରେ ଖୁସିର ଲହରି ଖେଳି ଯାଇଛି ।

କେନ୍ଦ୍ରାପଡା ଦେଇ ମାଲବାହୀ ଟ୍ରେନ୍ ଯାତାୟତ କରୁଥିଲେ ବି ଯାତ୍ରୀବାହୀ ଟ୍ରେନ୍ ଚାଲୁନଥିଲା । ତେଣୁ ଦୀର୍ଘ ଦିନ ହେବ ଏହି ବାଟ ଦେଇ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାକୁ ଦାବି ହୋଇ ଆସୁଥିଲା ।