ବିଜେପିରୁ ଟିକେଟ ପାଇ ଲଢ଼ିବାକୁ ମନାକଲେ ନେତା: ଆସାନସୋଲରୁ ଲଢ଼ିବେନି ଭୋଜପୁରୀ ଗାୟକ

168

କନକ ବ୍ୟୁରୋ: ଟିକେଟ ଦେଲା ବିଜେପି, ହେଲେ ମନାକଲେ ପ୍ରାର୍ଥୀ । ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଭୋଜପୁରୀ ଅଭିନେତା ପବନ ସିଂହଙ୍କୁ ଆସାନସୋଲରୁ ଟିକେଟ ଦେଇଥିଲା । ହେଲେ ପବନ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଅବଶ୍ୟ ସେ ଏଥିପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ।

ହେଉଛି ଲୋକସଭା ନିର୍ବାଚନ ପାଇଁ ଗତକାଲି ବିଜେପି ଜାରି କରିଥିବା ପ୍ରଥମ ପ୍ରାର୍ଥୀ ତାକିଲା । ୧୯୫ ଜଣିଆ ଏହି ତାଲିକାରେ ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା ଆସନରୁ ଭୋଜପୁରୀ ଗାୟକ ପୱନ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ପ୍ରାର୍ଥୀ ଘୋଷଣାର ଦିନକ ପରେ ଲଢିବାକୁ ମନା କରିଦେଇଛନ୍ତି ପୱନ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି-

‘ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ । ଦଳ ମୋତେ ବିଶ୍ୱାସ କଲା ଓ ପଶ୍ଚିମବଙ୍ଗ ଆସାନସୋଲରୁ ପ୍ରାର୍ଥୀ ଘୋଷଣା କଲା, ହେଲେ କିଛି କାରଣରୁ ମୁଁ ଆସାନସୋଲରୁ ଲଢି଼ ପାରିବି ନାହିଁ ।’

ସୋସିଆଲ ମିଡିଆରେ ଲଢିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ବି ଏହାର କାରଣ ଉଲ୍ଲେଖ କରିନାହାନ୍ତି ପୱନ ସିଂହ । ଚର୍ଚ୍ଚା ହେଉଛି ବିଜେପି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରଠାରୁ ସୋସିଆଲ ମିଡିଆରେ ଜୋରଦାର ସମାଲୋଚନା କରୁଛି ଟିଏମସି । ପୱନ ସିଂହଙ୍କ ଗୀତଗୁଡିକ ଅଶ୍ଳୀଳ ଏବଂ ମହିଳା ବିରୋଧୀ କହି ଟାର୍ଗେଟ କରିଆସୁଛନ୍ତି ଟିଏମସି ନେତା । ସେଥିପାଇଁ ସେ ଆସୋନସୋଲରୁ ଲଢିବାକୁ ଅରାଜି ଥିବା କୁହାଯାଉଛି ।

ବିହାର ପଟନା ସାହେବ ଆସନରୁ ଦୁଇ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବେ ପଶ୍ଚିମବଙ୍ଗ ଆସାନସୋଲରୁ ସାଂସଦ ଅଛନ୍ତି । ସେ ଟିଏମସିରେ ଯୋଗଦେଇ ୨୦୨୨ ଉପନିର୍ବାଚନରେ ଆସାନସୋଲରୁ ବିଜୟୀ ହୋଇଥିଲେ । ଶତ୍ରୁଘ୍ନଙ୍କୁ ଟକ୍କର ଦେବାପାଇଁ ଭୋଜପୁରୀ ଗାୟକ ପୱନ ସିଂହଙ୍କୁ ମୈଦାନକୁ ଓହ୍ଲାଇବା ପାଇଁ ଯୋଜନା କରିଥିଲା ବିଜେପି । ହେଲେ ପ୍ରାର୍ଥୀ ଘୋଷଣା ପରେ ପୱନଙ୍କ ନିଷ୍ପତି ବିଜେପି ରଣନୀତିକୁ ବିଗାଡି ଦେଇଛି ।

ଦିଲ୍ଲୀର ୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା
ରାଜନୀତିରୁ ସନ୍ୟାସ ନେଲେ ଡକ୍ଟର ହର୍ଷବର୍ଦ୍ଧନ
ଏ ହେଉଛି ଦିଲ୍ଲୀର ୫ଟି ଲୋକସଭା ଆସନ ପାଇଁ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକା । ପୂର୍ବ ଦିଲ୍ଲୀ ଓ ଉତର-ପଶ୍ଚିମ ଦିଲ୍ଲୀ ଆସନକୁ ବାଦ୍ ଦେଇ ଅନ୍ୟ ସମସ୍ତ ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । କୁହାଯାଉଛି ପ୍ରଥମ ପ୍ରାର୍ଥୀ ତାଲିକାରେ ନାଁ ନଥିବାରୁ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ଡକ୍ଟର ହର୍ଷବର୍ଦ୍ଧନ । ଦେଶରେ କୋଭିଡ ମହାମାରୀ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ଡକ୍ଟର ହର୍ଷବର୍ଦ୍ଧନ । ୩୦ ବର୍ଷର ରାଜନୈତିକ କ୍ୟାରିୟରରେ ୫ଥର ବିଧାନସଭା ଓ ୨ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ହେଲେ ବିଜେପି ପ୍ରାର୍ଥୀ ତାଲିକାରେ ସ୍ଥାନ ନମିଳିବା ତାଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି ।

୨୦୧୯ ନିର୍ବାଚନରେ ଉତର-ପୂର୍ବ ଦିଲ୍ଲୀରୁ କ୍ରିକେଟ ତାରକା ଗୌତମ ଗମ୍ଭୀରଙ୍କୁ ସୁଯୋଗ ଦେଇଥିଲା ଭାରତୀୟ ଜନତା ପାର୍ଟି । କିନ୍ତୁ ଏଥର ତାଲିକା ଘୋଷଣା ପୂର୍ବରୁ ନିର୍ବଚନୀ ରାଜନୀତିର ସନ୍ୟାସ ନେବାକଥା ଘୋଷଣା କରିସାରିଛନ୍ତି ଗୌତମ ଗମ୍ଭୀର ।