ମୀନାକ୍ଷୀଙ୍କ ପଦ ଗଲା, ସୁର ଉଠାଇଲେ ପ୍ରଶ୍ନ : କହିଲେ, ଠିକ୍ କରିନି ଏଆଇସିସି, ପୁନଃ ଥଇଥାନ ପାଇଁ ଲେଖିବେ ଚିଠି

1,042

କନକ ବ୍ୟୁରୋ : ଗତକାଲି ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ତେବେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ବାଦ୍ ପଡିଛନ୍ତି ମିନାକ୍ଷୀ ବାହିନୀପତି । ମିନାକ୍ଷୀଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁର୍ଗାଶଙ୍କର ସାହୁଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯାଇଛି ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି, ଜିଲ୍ଲା ସଭାପତି ପଦରୁ ମିନାକ୍ଷୀଙ୍କୁ ହଟାଇ ଠିକ୍ କରିନି ଏଆଇସିସି । ତେଣୁ ମିନାକ୍ଷୀଙ୍କୁ ପୁନଃ ଥଇଥାନ କରିବା ପାଇଁ ସେମାନେ କିଛି ଜଣ ଏଆଇସିସିଙ୍କୁ ଲିଖିତ ଆକାରରେ ଜଣାଇବେ ।

ସେହିପରି ସନ୍ତୋଷ ସିଂ ସାଲୁଜା କହିଛନ୍ତି କଂଗ୍ରେସର ସବୁ କଥା ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଚାଲେ । ଯେଉଁମାନେ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ସଭାପତି ପଦରେ ଥିଲେ ସେମାନଙ୍କୁ ହଟାଇ ଦିଆଯାଇଛି । ସାଂସଦ ଆଉ ବିଧାୟକଙ୍କ କ୍ଷେତ୍ର ଅଲଗା ରହିଛି । ସେମାନେ ନିଜ ନିଜ ବାଟରେ କାମ କରିବେ । ତାରା ଆଉ ମିନାକ୍ଷୀ ଆମର ଭାଇ ଓ ଭାଉଜ ରାଗ ନରଖି କୋରାପୁଟରେ କଂଗ୍ରେସକୁ ଆଗେଇ ନେବେ ।