ପଞ୍ଚକର ପାଞ୍ଚ ଦିନରେ ମହାପ୍ରଭୁଙ୍କର ହୁଏ ୫ ବେଶ : ଆଜି ବାମନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

107

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ପଞ୍ଚକ ନୀତିର ଦ୍ୱିତୀୟ ଦିନ । ଆଜି ଗରୁଡ଼ ଉତଥାପନ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଙ୍କଚୁଡ଼ା ବା ବାମନ ବେଶ ଅନୁଷ୍ଠିତ ହେଉଛି । ପଞ୍ଚକର ୫ଦିନରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଓ ବେଶ ଅନୁଷ୍ଠିତ ହେଉଛି । ଗତକାଲି ପଞ୍ଚକର ପ୍ରଥମ ଦିନ ଅର୍ଥାତ ହରିଉତଥାପନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି । ଏହାପରେ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଙ୍କଚୁଡ଼ା ବା ବାମନ ବେଶ ।

ଏହିପରି ତ୍ରୟୋଦଶୀରେ ତ୍ରୀବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଚିତାକର୍ଷକ ସୁନାବେଶ ବା ରାଜରାଜେଶ୍ୱରୀ ବେଶରେ ଦର୍ଶନ କରିବେ ଭକ୍ତ । ପଂଚକ ପାଇଁ ଶ୍ରୀମନ୍ଦିରରେ ବ୍ରତଧାରୀଙ୍କ ଭିଡ଼ ଜମିଛି । ପ୍ରତ୍ୟହ ଅବକାଶ ଓ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ସଜ୍ଜିତ କରାଯାଏ ।

ଏହାସହ ଶୀତରୁତୁ ପାଇଁ ମସ୍ତକରେ ପାଟବସ୍ତ୍ରରେ ଟୋପି କରାଯାଇ ସ୍ୱର୍ଣ୍ଣକିଆ ଖଂଜାଯାଇ ତିନି ଠାକୁରଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ । ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପୋଲିସ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାର୍ତିକ ବ୍ରତର ଶେଷ ପାଞ୍ଚ ଦିନ ତିଥିରେ ଭକ୍ତମାନେ ମହୋଦଧୀରେ ସ୍ନାନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ପୁଣ୍ୟ ଲାଭ କରିବାର ପୌରାଣିକ ତଥ୍ୟ ରହିଛି ।