୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ

664

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ଆରମ୍ଭ ହେବାକୁ ମାତ୍ର କିଛିଦିନ ବାକି ରହିଛି । ଏହି ବିଶ୍ୱକପରେ ଭାଗ ନେବାକୁ ଥିବା ସମସ୍ତ ଟିମ୍ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ହେଲେ ୧୯୯୨ ମସିହାର ବିଶ୍ୱକପ୍ ଚାମ୍ପିଅନ ପାକିସ୍ତାନ ଟିମ୍ ଏବେ ଚର୍ଚ୍ଚାକୁ ଆସିଛି । ରିପୋର୍ଟ ମୁତାବକ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଓ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ୫ ମାସ ହେବ ଲାଗିରହିଥିବା ବିବାଦ ଏବେ ଗମ୍ଭୀର ରୂପ ନେଇଛି । ଖେଳାଳିଙ୍କ ଅଭିଯୋଗ ମୁତାବକ ସେମାନଙ୍କ ପିସିବି ୪ମାସ ହେବ ଦରମା ଦେଇନାହିଁ । ଏହାକୁ ନେଇ ଖେଳାଳିମାନେ ପିସିବିକୁ ସ୍ପଷ୍ଟ କରିଦେଇଛନ୍ତି କି ଯଦି ଦରମା ନ ମିଳେ ତେବେ ଖେଳାଳିମାନେ ଆୟୋଜକଙ୍କ ଲୋଗୋ ଥିବା ପୋଷାକ ପିନ୍ଧିବେ ନାହିଁ ଓ ବିଶ୍ୱକପରେ କୌଣସି ପ୍ରମୋଶନାଲ ଇଭେଣ୍ଟରେ ଭାଗ ନେବେ ନାହିଁ ।

ସେପଟେ ସୋମବାର ଦିନ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି କି ସମସ୍ୟାର ସମାଧାନ ପାଇଁ ପିସିବି ମୁଖ୍ୟ ଜକା ଅଶରଫ ମୁଖ୍ୟ ଚୟନକର୍ତ୍ତା ଇଂଜାମାମ ଓଲ ହକଙ୍କ ସହାୟତା ଲୋଡିଛନ୍ତି । ହେଲେ ଏନେଇ ଇଂଜାମାମ କିମ୍ବା ଜକା ଅଶରଫଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଖେଳାଳିମାନେ ଦରମା ନ ପାଇଥିବାରୁ ଅସନ୍ତୁଷ ଜାହିର କରିଛନ୍ତି । ଏହାସହ କିଛି ଖେଳାଳି କିଛି କ୍ରିକେଟ ଲିଗ୍ ଖେଳି ନିଜର ଗୁଜରାଣ ମେଣ୍ଟାଉଛନ୍ତି । ହେଲେ ପିସିବି କହିଛି କି ଯଦି ଦେଶର ଖେଳାଳିମାନେ କ୍ରିକେଟ ଲିଗ ଖେଳିବେ ତେବେ ପ୍ରଥମେ ପିସିବି ଠାରୁ ଅନୁମତି ନେବେ ଓ ଲିଗରୁ ଯାହା ରୋଜଗାର କରୁଛନ୍ତି ତାହାର ହିସାବ ପିସିବିକୁ ଦେବାକୁ ପଡିବ । ହେଲେ ଏନେଇ ଖେଳାଳିମାନେ ଅସହମତ ପ୍ରକାଶ କରିଛନ୍ତି ।