ଏସିଆ କପ୍ ସୁପର-୪ ମୁକାବିଲା : ୫ ୱିକେଟରେ ହାରିଲା ଭାରତ; ମାତ୍ର ଗୋଟିଏ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କଲା ପାକିସ୍ତାନ

158

କନକ ବ୍ୟୁରୋ : ଏସିଆ କପ୍ ସୁପର-୪ ମୁକାବିଲାରେ ଲିଗ୍ ରାଉଣ୍ଡ ପରାଜୟର ବଦଲା ନେଲା ପାକିସ୍ତାନ । ରୋମାଞ୍ଚକର ମୁକାବିଲାରେ ୫ ୱିକେଟରେ ହାରିଲା ଭାରତ । ମାତ୍ର ଗୋଟିଏ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ୧୮୨ ରନ୍ର କରିଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଓ କେ.ଏଲ୍ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୪ ଓଭର ୨ଟି ବଲରେ ୫୦ ରନ୍ କରିଥିଲେ । ଦୁଇ ଓପନର ଆଉଟ୍ ହେବା ପରେ ପାକିସ୍ତାନ ମ୍ୟାଚ୍କୁ ନିୟନ୍ତ୍ରଣକୁ ଆଣିଥିଲା ।

ମଧ୍ୟଭାଗରେ ୩ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୧୩, ରିଷଭ ପନ୍ତ ୧୪ ଓ ପାଣ୍ଡ୍ୟା କୌଣସି ରନ୍ ନକରି ଆଉଟ୍ ହୋଇଥିଲେ । ହେଲେ ମଙ୍ଗ ସମ୍ଭାଳିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି । ଧର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଦୀପକ ହୁଡ୍ଡାଙ୍କ ସହ ମିଶି ଷଷ୍ଠ ୱିକେଟରେ ୩୭ ରନ୍ ଯୋଡିଥିଲେ । କୋହଲି ରନ୍ ଆଉଟ୍ ହେବା ପରେ ବିଷ୍ଣୋଇ ଶେଷ ଓଭରର ଦୁଇଟି ବଲରେ ଦୁଇଟି ଚୌକା ମାରି ଦଳୀୟ ସ୍କୋର ୧୮୧କୁ ନେଇଥିଲେ । ଜବାବରେ ପାକିସ୍ତାନ ଗୋଟିଏ ବଲ୍ ବାକି ଥାଇ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଓପନର ରିଜୱାନ୍ ୭୧ ରନର ଇନିଂସ ଖେଳିଥିଲେ ।

ବ୍ୟକ୍ତିଗତ ଭାବେ କୋହଲି ମଧ୍ୟ ଏକ ବିଶ୍ବ କୀର୍ତ୍ତିମାନ କରିଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ (୩୨) ଅର୍ଜନ କରି ସେ ରୋହିତ ଶର୍ମା (୩୧)କୁ ପଛରେ ପକାଇଥିଲେ । କୋହଲି କିନ୍ତୁ ୧୦୨ ମ୍ୟାଚ୍‌ ଓ ୯୪ ପାଳିରୁ ଏହି ଲକ୍ଷ୍ୟରେ ପହଞ୍ଚିଛନ୍ତି । ୩୩ ବର୍ଷୀୟ ରୋହିତ ୧୩୫ ମ୍ୟାଚ୍‌ ଓ ୧୨୭ ପାଳି ଖେଳିସାରିଛନ୍ତି । ବାମର ଆଜମ, ଡେଭିଡ୍‌ ୱାର୍ଣ୍ଣର, ମାର୍ଟିନ ଗପ୍ଟିଲ୍‌, ପଲ ଷ୍ଟର୍ଲିଂ ପ୍ରତ୍ୟେକ ୨୦ରୁ ଉର୍ଦ୍ଧ୍ୱ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ କେହି ୩୦ ଛୁଇଁ ନାହାନ୍ତି । ହଂ ହଂ ବିପକ୍ଷରେ ୪୪ ବଲ୍‌ ଖେଳିଥିବା କୋହଲି ମଧ୍ୟ ରବିବାର ପାକିସ୍ତାନ ବିପକ୍ଷରେ ସମାନ ୪୪ ବଲ୍‌ ଖେଳିଥିଲେ । କେବଳ ଗୋଟିଏ ରନ୍‌ ଅଧିକ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିପାରିନଥିଲେ । ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌, ଦୀପକ ହୁଡା ପ୍ରମୁଖ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାଳି ଖେଳିପାରିନଥିଲେ । ଏକାଦଶ ଓଭର ପ୍ରାରମ୍ଭରୁ ଭାରତ ୧୦୦ ରନ୍‌ ପୂର୍ଣ୍ଣ କରିଥିଲେ ମଧ୍ୟ ଏହି କାରଣରୁ ସମ୍ଭାବ୍ୟ ୨୦୦ ଛୁଇଁ ପାରିନଥିଲା ।