କଳାବୈଶାଖୀ ଯୋଗୁଁ ବଦଳିଲା ପାଗ, ତାତିରୁ ଆଶ୍ୱସ୍ତି: ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

324

କନକ ବ୍ୟୁରୋ: କାଳବୈଶାଖୀ ଯୋଗୁଁ ବଦଳିଲା ପାଗ, ତାତିରୁ ଆଶ୍ୱସ୍ତି । କଟକ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ବି ଛିପ୍ ଛିପ୍ ବର୍ଷା ଆରମ୍ଭ ହୋଇଯାଇଛି । ବର୍ଷାକୁ ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୪ଜିଲ୍ଲାକୁ ଅରେଂଜ ଆଲର୍ଟ ଜାରି କରାଯାଇଛି । ଆଜିଠୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ଗଂଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ପାଇଁ ପାଣିପାଗ ବିଭାଗ ଅରେଂଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଆସନ୍ତାକାଲି ଠାରୁ ୮ତାରିଖ ସକାଳ ସାଢ଼େ ୮ଟା ଯାଏଁ ୬ଟି ଜିଲ୍ଲା ପାଇଁ ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, କନ୍ଧମାଳ, ଗଜପତି ଓ ଗଂଜାମ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଆଗାମୀ ୨୪ଘଂଟା ପାଇଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ବିସ୍ତୃତ ବର୍ଷା ବୃଦ୍ଧି ପାଇବ । ବର୍ଷା କାରଣରୁ ସମଗ୍ର ଓଡ଼ିଶାରେ ଦିନ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।