ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚକୁ ସ୍ଥଗିତ ରଖିଲା ଓପିଏସସି । ବିଶ୍ୱବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ବନ୍ଦ ପାଇଁ ରାଜ୍ୟପାଳଙ୍କୁ ଭେଟିଥିଲେ ପୂର୍ବତନ ଭିସି ଓ ପ୍ରାଧ୍ୟାପକ

163

କନକ ବ୍ୟୁରୋ: ବିବାଦ ପରେ ବିଶ୍ୱବିଦ୍ୟାଳୟର ନିଯୁକ୍ତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ଓପିଏସସି । ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ । ପଦାର୍ଥ ବିଜ୍ଞାନ ବିଭାଗର ଆସିଷ୍ଟାଂଟ୍ ପ୍ରଫେସର ପଦବୀ ପାଇଁ ଇଣ୍ଟରଭ୍ୟୁ କରାଯିବାକୁ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜୁନ ୪ ତାରିଖରୁ ଏହା କରାଯାଇଥାନ୍ତା, ହେଲେ ଏହାକୁ ବାତିଲ କରି ଦେଇଛନ୍ତି ଓପିଏସସି ।

ସେହିପରି ବାଣିଜ୍ୟ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ପଦବୀ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜୁନ ୬ ତାରିଖରୁ ଆରମ୍ଭ ହୋଇଥାନ୍ତା, ତାହା ମଧ୍ୟ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସସି ଉଲଂଘନ କରୁଥିବା ଅଭିଯୋଗରେ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିଥିଲେ ପୂର୍ବତନ କୁଳପତି ଓ ପ୍ରଧ୍ୟାପକ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦କୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ କରି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ବିନାୟକ ରଥଙ୍କ ଅଧ୍ୟକ୍ଷତାରେ ସାତ ଜଣ ପୂର୍ବତନ ପ୍ରଧ୍ୟାପକ, ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ଏପଟେ ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ବି ନିଯୁକ୍ତି ପ୍ରକ୍ରିୟାରୁ ଯଦି ରାଜ୍ୟ ସରକାର ଏବଂ ଓପିଏସସି ନିବୃତ୍ତ ନ ରୁହନ୍ତି, ତେବେ ଅଦାଲତ ଅବମାନନା ପିଟିସନ ଦାଖଲ କରାଯିବ ବୋଲି କହିଛନ୍ତି ମୁଖ୍ୟ ପିଟିସନର ପ୍ରଫେସର ଅଜିତ ମହାନ୍ତି । ସେହିପରି ଉଚ୍ଚଶିକ୍ଷା ବିଭାଗ ଓ ଓପିଏସସିକୁ ଚିଠି ଲେଖି ୟୁଜିସି ପକ୍ଷରୁ କୁହାଯାଇଥିଲା ଯେ ମେ’ ୨୩ ତାରିଖରେ ଓପିଏସସି ସମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୪ ତାରିଖରେ ବାଣିଜ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇର୍ ଡକ୍ୟୁମେଣ୍ଟ ଭେରିଫିକେସନ ବିଜ୍ଞପ୍ତି ବାହାରିଛି । ତେଣୁ ଓପିଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡର ଅଣଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲଂଘନ କରୁଛି । ଏପରି ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରୁହନ୍ତୁ, ନଚେତ୍ ଏଥିରେ ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ୍ କରିଥିଲା ୟୁଜିସି ।