ଶସ୍ତା ହେଲା ବିମାନ ତୈଳଦର। ଆଗାମୀ ଦିନରେ କମିବ ବିମାନ ଟିକଟ ଦର!

196

କନକ ବ୍ୟୁରୋ : ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ଏହି କାରଣରୁ ବିମାନର ତୈଳ ଦର ମଧ୍ୟ କମିଛି । ଶନିବାର ଏୟାର ଟର୍ବାଇନ ଫୁଏଲ ଅର୍ଥାତ ଏଟିଏଫ ଦର ୨.୨ ପ୍ରତିଶତ କମିଛି । ଏହି ଦର ହ୍ରାସ ପରେ ବିମାନ ଟିକଟ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ଏୟାରଲାଇନର ପରିଚାଳନା ଦରରେ ବିମାନ ତୈଳ ଦରର ଅଂଶ ୪୦ ପ୍ରତିଶତ । ତେଣୁ ଏହି ଦର ହ୍ରାସ ପାଇବା ବିମାନ ତୈଳ ଦର ହ୍ରାସରେ ସିଧାସଳଖ ପଡିବ । ଚଳିତ ବର୍ଷ ୧୧ ଥର ବିମାନ ତୈଳଦର ବୃଦ୍ଧି ହୋଇଥିବା ବେଳେ ଦୁଇ ଥର ତଳକୁ ଖସିଛି । ସରକାରୀ ତୈଳ ବିକ୍ରେତା କମ୍ପାନୀ ବିମାନର ତୈଳ ଦର କିଲୋଲିଟର ପିଛା ୩୦୮୪ଟଙ୍କା ୯୪ ପଇସା କମ କରିଛନ୍ତି । ଏହା ପରେ ଏଟିଏଫର ଦର ତଳକୁ ଖସି କିଲୋଲିଟର ପିଛା ୧୩୮୧୪୭.୯୩ ଟଙ୍କା ହୋଇଛି ।

ଚଳିତ ଥର ବିମାନ ତୈଳ ଦର ଦ୍ୱିତୀୟ ଥର ପାଇଁ ହ୍ରାସ ପାଇଛି । ଜୁନରେ ବିମାନ ତୈଳ ଦର ୧୪୧.୨୩ ପ୍ରତି ଲିଟର ଅର୍ଥାତ ୧୪୧୨୩୨.୮୭ ଟଙ୍କା ପ୍ରତି କିଲୋଲିଟର ଦରରେ ପହଞ୍ଚିଛି । ପ୍ରତି ମାସର ପ୍ରଥମ ଏବଂ ୧୬ ତାରିଖରେ ବିମାନ ତୈଳ ଦର ବଢିଥାଏ କିମ୍ବା କମିଥାଏ । ଜୁଲାଇ ୧ରେ ବିମାନ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏହା ପୂର୍ବରୁ ଜୁନ ୧୬ରେ ତୈଳ ଦର ୧୬ ପ୍ରତିଶତ ବୃଦ୍ଧି ପାଇଥିଲା । ୟୁକ୍ରେନ ସଙ୍କଟ ପରେ ଅଶୋଧିତ ତୈଳ ଦର ଦାମ ବ୍ୟାରେଲ ପ୍ରତି ୧୪୦ ଡଲାରରେ ପହଞ୍ଚିଥିଲା । ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା କାରଣରୁ ଅଶୋଧିତ ତୈଳ ଦରରେ ପ୍ରଭାବ ଦେଖିବାକୁ ମିଳୁଛି । ଚଳିତ ସପ୍ତାହରେ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ଦାମ ବ୍ୟାରେଲ ପ୍ରତି ୧୦୧.୨ ଡଲାର ରହିଥଲା । ସେହିପରି ଡବ୍ଲୁଟିଆଇ କ୍ରୁଡର ଦର ବ୍ୟାରେଲ ପ୍ରତି ୯୭.୫୯ ଡଲାର ରହିଥିଲା ।