ଶ୍ରୀମନ୍ଦିର ନୀତିରେ ପୁଣି ବିଳମ୍ବ । ଶୁକ୍ରବାର ଭୋର ୪ଟାରେ ହେଲା ପହୁଡ ନୀତି । ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଲେ ଭକ୍ତ

139

କନକ ବ୍ୟୁରୋ: ମହାପ୍ରଭୂଙ୍କ ରଥଯାତ୍ରା ପୂର୍ବରୁ ବାରମ୍ବାର ହେଉଛି ନୀତି ବିଭ୍ରାଟ । ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଶୁକ୍ରବାର ଭୋର ୪ଟାରେ ହୋଇଛି ପହୁଡ । ଫଳରେ ଶନିବାର ଦିନ ଦୁଇ ଘଣ୍ଟା ବିଳମ୍ବରେ ନୀତି ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ଶ୍ରଦ୍ଧାଳୁଙ୍କୁ ଖରା ଓ ଗୁଳୁଗୁଳିରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ତେବେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଶ୍ରୀମନ୍ଦିରରୁ ଆରମ୍ଭ କରି ମରିଚିକୋଟ ଛକ ଯାଏଁ ଭକ୍ତଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା ।

  • ରଥ ପୂର୍ବରୁ ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟ
  • ଧାଡିରେ ଠିଆ ହୋଇ ଭକ୍ତ ହାଲିଆ

ଖାଲିପାଦରେ ବଡଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଭକ୍ତଙ୍କ ଅପେକ୍ଷା । ଦୂରବାଟୁର ଧାଇଁ ଆସିଥିଲେ ଜଗାଦର୍ଶନ ପାଇଁ, ହେଲେ ନୀତି ବିଳମ୍ବ ଯୋଗୁଁ ଅପେକ୍ଷା କରି କରି ସକାଳ ୮ଟାରେ ମିଳିଛି ଦର୍ଶନ । ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଶୁକ୍ରବାର ଭୋର ୪ଟାରେ ହୋଇଛି ପହୁଡ । ଫଳରେ ଶନିବାର ଦିନ ଅଧଘଣ୍ଟେ କି ଘଣ୍ଟେ ନୁହେଁ ଦୁଇଦୁଇ ଘଣ୍ଟା ବିଳମ୍ବରେ ନୀତି ଆରମ୍ଭ ହୋଇଥିଲା । ସକାଳ ୭ଟାରେ ଦ୍ୱାରଫିଟା ପରେ ୭.୪୦ରେ ହୋଇଥିଲା ମଙ୍ଗଳ ଆଳତୀ । ଶନିବାର ଥିବାରୁ ହଜାର ହଜାର ଭକ୍ତ ଗୁଳୁଗୁଳି ଓ ଖରାରେ ବଡଦାଣ୍ଡରେ ଠିଆ ହୋଇ ଦୁଇ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ପରିସ୍ଥିତି ଏଭଳି ହୋଇଥିଲା ଯେ, ଶ୍ରୀମନ୍ଦିରରୁ ଆରମ୍ଭ କରି ମିରିଚିକୋଟୋ ଛକ ଯାଏଁ ଭକ୍ତଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ ଭିଡକୁ ନିୟନ୍ତ୍ରଣ ପାଇଁ ପୁରୀ ଏସପି ଦଫା ଦଫା କରି ଭକ୍ତଙ୍କୁ ବ୍ୟାରିକେଡରେ ଦର୍ଶନ ପାଇଁ ଛାଡୁଥିଲେ । ଏସପିଙ୍କ କହିବା ଅନୁସାରେ, ନୀତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ସେପଟେ ନୀତି ବିଳମ୍ବକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ନୀତି ସବ କମିଟି ବୈଠକ ଓ ଛତିଶ ନିଯୋଗ ବୈଠକ ବସିଛି । ନୀତି ଶୃଙ୍ଖଳିତ କରିବାକୁ କମିଟି ଗଠନ ଲାଗି ନିଷ୍ପତି ହୋଇଛି ।

କେବଳ ଶୁକ୍ରବାର ନୁହେଁ ଗତ କିଛିଦିନ ତଳେ ନୀତି ବିଳମ୍ବ ହେଉଛି । କିଛି ଦିନ ତଳେ ଜଳକ୍ରୀଡା ଏକାଦଶୀ ଦିନ ମହାପ୍ରଭୁଙ୍କ ପହୁଡ ହୋଇନଥିଲା । ଏଭଳି ବାରମ୍ବାର ନୀତି ବିଭ୍ରାଟ ଯୋଗୁଁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରଶ୍ନ ଉଠୁଛି,

  • ଶ୍ରୀମନ୍ଦିରରେ କାହିଁକି ବାରମ୍ବାର ବିଳମ୍ବ ହେଉଛି ନୀତିବିଭ୍ରାଟ?
  • ଏହା ପଛରେ ଦାୟିତ୍ୱହୀନତା ନା ଆଉ କିଛି କାରଣ ରହିଛି?