୨୯ ତାରିଖରେ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ । ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

55

କନକ ବ୍ୟୁରୋ: ନୂଆ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସରେ ଜୋସ୍ ଭରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେବେ । କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତସୂଚୀ ସଂପର୍କରେ ସୂଚନା ଦେଇ ସମାବେଶରେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଅପିଲ୍ କରିଛି ପିସିସି ।

  • ୨୯ରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ
  • ସାମିଲ ହେବେ ମଲ୍ଲିକାର୍ଜୁନ ଖଡଗେ

ଉଭୟ ବିଜେଡି ଓ ବିଜେପି ରାଜ୍ୟ ପାଇଁ ବିପଦ ବୋଲି ଅଭିଯୋଗ କରିଛି କଂଗ୍ରେସ । ଓଡ଼ିଶାକୁ ବଞ୍ଚାଇବା ପାଇଁ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ଦାବି କରିଛି ଦଳ । ଖଡଗେଙ୍କ ସମାବେଶରେ ୫୦ ହଜାର କର୍ମୀ ଯୋଗ ଦେବା ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏପଟେ ବିଜେପି ସମାଲୋଚନା କରି କହିଛି ଓଡ଼ିଶା ପାଇଁ ନୁହେଁ, ରାହୁଲଙ୍କ ଗସ୍ତ ପୂର୍ବରୁ ବାତାବରଣ ପ୍ରସ୍ତୁତ କରିବାକୁ ଆସୁଛନ୍ତି ଖଡଗେ । ସେହିପରି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କେବଳ ନିର୍ବାଚନ ବେଳେ କଂଗ୍ରେସର ମନେପଡ଼େ ଓଡ଼ିଶା କଥା ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ । ପ୍ରଥମ ଗସ୍ତରେ ଶକ୍ତି ପ୍ରଦର୍ଶନ କରିବା ସହ ଦଳର ତୃଣମୂଳ ସ୍ତରକୁ ମଜବୁତ କରିବା ପାଇଁ ଯୋଜନା କରିଛି କଂଗ୍ରେସ । ଓଡ଼ିଶା ବଞ୍ଚାଅ ସମାବେଶରେ ବୁଥ ସ୍ତରରୁ କର୍ମୀ ଯୋଗ ଦେବେ ବୋଲି କୁହାଯାଇଛି ।