ଏକା ନୀତିଶ କୁମାର ନୁହଁନ୍ତି ବିହାରରେ ପଲଟୁରାମ ନେତାଙ୍କ ଲମ୍ବା ତାଲିକା । ନାଗମଣୀ ୧୧ ଥର ତ ଜିତନରାମ ମାଞ୍ଝୀ ୭ ଥର ବଦଳାଇଛନ୍ତି ଗୋଷ୍ଠୀ

609

କନକ ବ୍ୟୁରୋ : କେବଳ ବିହାରରେ ନୁହେଁ ବରଂ ସାରା ଦେଶରେ ଏବେ ନୀତିଶ କୁମାରଙ୍କ ଗୋଷ୍ଠୀ ବଦଳ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ୧୦ ବର୍ଷ ମଧ୍ୟରେ ଜେଡିୟୁ ମୁଖ୍ୟ ନୀତିଶ କୁମାର ୬ଥର ୟୁଟର୍ନ ନେଇସାରିଛନ୍ତି । ୨୦୧୩ ମସିହାରେ ପ୍ରଥମ ଥର ପାଇଁ ନୀତିଶ କୁମାର ୟୁଟର୍ନ ନେଇଥିଲେ ।
ଯଦି ନୀତିଶ କୁମାରଙ୍କ ୟୁଟର୍ନ ଉପରେ ନଜର ପକାଇବା ତେବେ
୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ବିଜେପି ସହ ମେଣ୍ଟ
୨୦୦୫ ନଭେମ୍ବର ୫ ତାରିଖରେ ବିଜେପି ସହ ମେଣ୍ଟ
୨୦୧୦ ନଭେମ୍ବର ୨୭ ତାରିଖ ବିଜେପି ସହ ମେଣ୍ଟ
୨୦୧୫ ଫେବୃଆରୀ ୨୨ରେ ଏକାକୀ ସରକାର
୨୦୧୫ ନଭେମ୍ବର ୨୦ ଆରଜେଡି ସହ ମେଣ୍ଟ
୨୦୧୭ ଜୁଲାଇ ୨୭ ତାରିଖ ବିଜେପି ସହ ମେଣ୍ଟ
୨୦୨୦ ନଭେମ୍ବର ୧୬ ତାରିଖରେ ବିଜେପି ସହ ମେଣ୍ଟ
୨୦୨୨ ଅଗଷ୍ଟ ୧୦ ତାରିଖରେ ଆରଜେଡି ସହ ମେଣ୍ଟ

ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସୱାନ ମଧ୍ୟ ୟୁଟର୍ନ ରାଜନୀତିରେ ବେଶ୍ ମାହିର ଥିଲେ । ସେ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ୬ଥର ୟୁଟର୍ନ ନେଇଛନ୍ତି । ରାମବିଳାଶଙ୍କୁ ରାଜନୀତିରେ ପାଣିପାଗ ବିଜ୍ଞାନୀ ମଧ୍ୟ କୁହାଯାଏ ।

ରାମବିଳାଶ ତାଙ୍କ ରାଜନୈତିକ ଜୀବନ ୧୯୬୯ ରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରୁ ଆରମ୍ଭ କରିଥିଲେ । ହେଲେ ୧୯୭୪ ମସିହାରେ ସେ ଲୋକଦଳରେ ଯୋଗ ଦେଇଥିଲେ । ଏହାପରେ ଜନତା ପାର୍ଟି, ଜନତା ଦଳ ଓ ପରେ ସଂଯୁକ୍ତ ଜନତାଦଳରେ ଯୋଗ ଦେଇଥିଲେ । ହେଲେ ଶେଷରେ ୨୦୦୦ ମସିହାରେ ସେ ନିଜର ଲୋକ ଜନଶକ୍ତି ନାମରେ ଏକ ପାର୍ଟି ଗଠନ କରିଥିଲେ ।

ପାସୱାନ କେନ୍ଦ୍ରରେ ଭିପି ସିଂ, ଏଚଡି ଦେବେଗୌଡା, ଆଇକେ ଗୁଜୁରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂ ଓ ନରେନ୍ଦ୍୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୦୫ ମସିହାରେ ତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା । ହେଲେ ରାଜନୈତିକ ଆଖଡାରେ ସେ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ  ଗତ ୯ବର୍ଷ ମଧ୍ୟରେ ୭ ଥର ୟୁଟର୍ନ ନେଇଛନ୍ତି । ମାଞ୍ଝୀ ୨୦୧୫ ମସିହାରେ ଜେଡିୟୁ ସହ ସଂପର୍କ ତୁଟାଇବା ପରେ ନିଜର ଏକ ପାର୍ଟି ଗଠନ କରିଥିଲେ । ଏହାସହ ସେ ଗଠନ କରିଥିବା ହମ ବା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା ଏନଡିଏରେ ସାମିଲ ହୋଇଥିଲା । ମାଞ୍ଝୀ ୨୧ଟି ଆସନରେ ନିର୍ବାଚନ ଲଢିଥିଲେ ବି କେବଳ ନିଜେ ବିଜୟୀ ହୋଇଥିଲେ ।

୨୦୧୭ ମସିହାରେ ମାଞ୍ଝୀ ଏନଡିଏରୁ ଅଲଗା ହୋଇଥିଲେ  ଓ ୟୁପିଏରେ ସାମିଲ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ମାଞ୍ଝୀଙ୍କ ପାର୍ଟି ବିହାରର ୩ ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିଲେ ବି ଗୋଟିଏ ବି ଆସନରେ ବିଜୟୀ ହୋଇପାରି ନଥିଲା । ଏହାପରେ ନୀତିଶଙ୍କ ସହାୟତାରେ ମାଞ୍ଝୀ ପୁଣି ଏନଡିଏରେ ସାମିଲ ହୋଇଥିଲେ ।

୨୦୨୦ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ତରଫରୁ ମାଞ୍ଝୀଙ୍କ ପାର୍ଟିକୁ ୨୧ ଟି ଆସନରେ ନିର୍ବାଚନ ଲଢିବାର ସୁଯୋଗ ଦିଆଯାଇଥିଲା । ହେଲେ ମାଞ୍ଝୀଙ୍କ ପାର୍ଟି କେବଳ ୪ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା । ହେଲେ ୨୦୨୨ ରେ ନୀତିଶ କୁମାର ଏନଡିଏରୁ ଅଲଗା ହେବା ପରେ ମାଞ୍ଝୀ ନୀତିଶଙ୍କ ହାତ ଛାଡି ଦେଇଥିଲେ ।

ଏହାପରେ ମାଞ୍ଝୀ ତାଙ୍କ ପାର୍ଟିର ସମର୍ଥନ ମହାଗଠବନ୍ଧନ ସହ ରଖିଥିଲେ । ସେହି ସମୟରେ ମାଞ୍ଝୀ ଶପଥ ନେଇଥିଲେ କି, ସେ ଜୀବନରେ କେବେ ନୀତିଶଙ୍କ ସହ ଯିବେ ନାହିଁ । ହେଲେ ଗୋଟିଏ ବର୍ଷ ଭିତରେ ସେ ତାଙ୍କ ଶପଥ ଭୁଲିଯାଇ ୨୦୨୩ରେ ପୁଣି ସେ ଏନଡିଏରେ ସାମିଲ ହୋଇଥିଲେ ।

ସମାଜବାଦୀ ନେତା ଜଗଦେବ ପ୍ରସାଦଙ୍କ ପୁଅ ନାଗମଣୀ କୁଶୱାହା ବି ୟୁଟର୍ନ ନେବାର ରେକର୍ଡ ସୃଷ୍ଠି କରିଛନ୍ତି । ଗତ ୨୩ ବର୍ଷ ମଧ୍ୟରେ ସେ ୧୧ ଥର ଗୋଷ୍ଠୀ ବଦଳ କରିିସାରିଛନ୍ତି । ୧୯୭୭ ମସିହାରେ ଶୋଷିତ ସମାଜ ଦଳର ଚିହ୍ନ ନାଗମଣୀ କୁର୍ଥା ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୦ ରେ ନାଗମଣୀ କଂଗ୍ରେସରେ ସାମିଲ ହୋଇଥିଲେ । ହେଲେ କୁର୍ଥା ଆସନରୁ ପରାଜିତ ହୋଇଥିଲେ । ୧୯୯୧ ରେ କଂଗ୍ରେସ ତାଙ୍କୁ ଲୋକସଭା ଟିକେଟ ଦେଇଥିଲେ ବି ସେ ପରାଜିତ ହୋଇଥିଲେ । ଏହାପରେ ନାଗମଣୀ ଆରଜେଡିରେ ଯୋଗ ଦେଇଥିଲେ । ୧୯୯୯ରେ ନାଗମଣୀ ଆରଜେଡି ଟିକେଟରୁ ଲୋକସଭା ଲଢି ସାଂସଦ ହୋଇଥିଲେ । ହେଲେ ୩ ବର୍ଷ ପରେ ସେ ଆରଜେଡି ସହ ବିଦ୍ରୋହ କରି ୩ ଜଣ ସାଂସଦଙ୍କ ସହ ଦଳ ଛାଡିଥିଲେ । ୨୦୦୧ ରେ ନାଗମଣୀ ଆରଜେଡି (ଡେମୋକ୍ରାଟିକ) ନାମରେ ଏକ ଦଳ ଗଠନ କରିଥିଲେ । ମାତ୍ର ୩ ମାସ ପରେ ନାଗମଣୀ ଦଳକୁ ବିଜେପିରେ ବିଲୟ କରି ଅଟଳ ବିହାରୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ୨୦୦୪ ରେ ବିଜେପି ହାରିବା ପରେ ନାଗମଣୀ ଲୋକଜନଶକ୍ତି ପାର୍ଟିରେ ମିଶିଯାଇଥିଲେ । ଏତିକିରେ ତାଙ୍କ ୟୁଟର୍ନ ସରି ନଥିଲା ପୁଣି ୨୦୦୫ରେ ସେ ଜେଡିୟୁରେ ସାମିଲ ହୋଇଥିଲେ । ନୀତିଶ କୁମାର ନାଗମଣୀଙ୍କ ପତ୍ନୀ ସୁଚିତ୍ରାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଥିଲେ । ମାତ୍ର ୨୦୦୮ ରେ ସେ ପୁଣି ଲୋକଜନଶକ୍ତି ପାର୍ଟିରେ ଯୋଗ ଦେଇଥିଲେ । ଏସବୁ ପରେ ଏବେ ସେ ରାଷ୍ଟ୍ରୀୟ ଶୋଷିତ ସମାଜ ନାମରେ ଏକ ପାର୍ଟି ଗଠନ କରି ଏବେ ତାର ଅଧ୍ୟକ୍ଷ ଅଛନ୍ତି ।

ବିହାରର ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ମଧ୍ୟ ଗୋଷ୍ଠୀ ବଦଳରେ ଜଣେ ପୋଖତ ଖେଳାଳୀ । ବିହାରର ଜଣାଶୁଣା ପଛୁଆବର୍ଗର ନେତା ଶକୁନୀ ଚୌଧୁରୀଙ୍କ ପୁଅ ସମ୍ରାଟ ଚୌଧୁରୀ ୧୯୯୦ ରେ ଛାତ୍ର ରାଜନୀତିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯ ରେ ଏକ ରାଜନୈତିକ ଚୁକ୍ତି ଆଧାରରେ ରାବ୍ରୀ ଦେବୀଙ୍କ ସରକାରରେ ସମ୍ରାଟଙ୍କୁ ମନ୍ତ୍ରୀ କରାଯାଇଥିଲା । ହେଲେ ତାଙ୍କର ବୟସ ହୋଇନଥିବାରୁ ବିରୋଧୀ ଦଳଙ୍କ ଚାପରେ ସମ୍ରାଟ ଇସ୍ତଫା ଦେଇଥିଲେ ।

୨୦୦୦ ମସିହାରେ ସମ୍ରାଟ ପରବତା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୦ ରେ ଲାଲୁ ଯାଦବ ସମ୍ରାଟ ଚୌଧୁରୀଙ୍କୁ ବିଧାନସଭାରେ ପ୍ରତିପକ୍ଷ ଉପନେତା ଭାବେ ନିଯୁକ୍ତି ମିଳିଥିଲା । ହେଲେ ୨୦୧୪ ମସିହାରେ ସମ୍ରାଟ ୧୩ ବିଧାୟକଙ୍କ ସହ ଆରଜେଡିରୁ ଇସ୍ତଫା ଦେଇଥିଲେ  ଓ ୧୩ ବିଧାୟକଙ୍କ ସହ ଜେଡିୟୁରେ ସାମିଲ ହୋଇଥିଲେ । ୨୦୧୪ ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେଇଥିଲେ । ଏହାପରେ ଜିତନରାମ ମାଞ୍ଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ କ୍ୟାବିନେଟରେ ସମ୍ରାଟଙ୍କ ସ୍ଥାନ ମିଳିଥିଲା । ହେଲେ ୨୦୧୫ ରେ ସମ୍ରାଟ ଜେଡିୟୁ ଛାଡି ଜିତନରାମ ମାଞ୍ଝୀଙ୍କ ହାମରେ ସାମିଲ ହୋଇଥିଲେ । ୨୦୧୭ ମସିହାରେ ପୁଣି ମାଞ୍ଝୀଙ୍କ ସହ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିଲେ ସମ୍ରାଟ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ବି ୟୁଟର୍ନ ମାରିବାରେ ମାହିର । କୁଶୱାହା ଏପର୍ଯ୍ୟନ୍ତ ୭ ଥର ଗୋଷ୍ଠୀ ବଦଳ କରିସାରିଛନ୍ତି । ୧୯୮୫ ମସିହାରେ କୁଶୱାହା ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏବେ ସେ ରାଷ୍ଟ୍ରୀୟ ଲୋକ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ୨୦୦୦ ମସିହାରେ କୁଶୱାହା ସମତା ପାର୍ଟିରୁ ଜନ୍ଦହା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିତୀଶ କୁମାର ତାଙ୍କ ବିରୋଧୀଦଳ ଉପ ନେତା ଭାବେ ଚୟନ କରିଥିଲେ । ୨୦୦୫ ମସିହାରେ ନୀତିଶ କୁମାର କ୍ଷମତାକୁ ଆସିଲେ ତ କୁଶୱାହା ବିଦ୍ରୋହୀ ହୋଇଗଲେ । ୨୦୦୭ ମସିହାରେ କୁଶୱାହା ସମତା ପାର୍ଟି ଗଠନ କଲେ । ହେଲେ ୨୦୦୯ ବେଳକୁ ପାର୍ଟି ସମାପ୍ତ ହୋଇଗଲା । ୨୦୧୦ ମସିହାରେ କୁଶୱାହା ପୁଣି ଜେଡିୟୁରେ ସାମିଲ ହେଲେ । ନୀତିଶ କୁମାର ତାଙ୍କୁ ରାଜ୍ୟସଭା ପଠାଇଥିଲେ । ୨୦୦୯ ମସିହାରେ ସେ ପୁଣି ଏନଡିଏରେ ସାମିଲ ହୋଇଗଲେ । ବିଜେପି କୁଶୱାହାଙ୍କୁ କେନ୍ଦ୍ର ମନ୍ତ୍ରୀ କଲା । ପୁଣି ୨୦୧୯ ରେ ସେ ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହୋଇଗଲେ । ହେଲେ ତାଙ୍କୁ ସଫଳତା ମିଳିଲା ନାହିଁ । ୨୦୨୦ ମସିହାରେ କୁଶୱାହା ପୁଣି ଚତୁର୍ଥ ମୋର୍ଚ୍ଚା ଗଠନ କଲେ  । ହେଲେ ଗୋଟିଏ ବି ଆସନ ଜିତିପାରି ନଥିଲେ । ୨୦୨୧ ମସିହାରେ ପୁଣି ନୀତିଶ କୁମାରଙ୍କ ସହ ହାତ ମିଳାଇଲେ । ହେଲେ ୨୦୨୩ ମସିହାରେ ଜେଡିୟୁରେ ବିଦ୍ରୋହ କରି ପୁଣି ନିଜର ପାର୍ଟି ଗଠନ କଲେ   ।