ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ । ଉତ୍ତରପ୍ରଦେଶ ପାଇଁ ପ୍ରଭାରୀ ନିଯୁକ୍ତ କଲା ଦଳ । ଆଗାମୀ ନିର୍ବାଚନ ଲଢ଼ିବେ କି ନାହିଁ, ଉଠିଲା ପ୍ରଶ୍ନ

115

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପିର ବଡ ପ୍ରସ୍ତୁତି । ଲୋକସଭା ନିର୍ବାଚନ ପୂର୍ବରୁ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦାୟିତ୍ୱ ବରିଷ୍ଠ ନେତାଙ୍କୁ ଦେଇଛି ପଦ୍ମଦଳ । ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ୟୁପି ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ଗାଦି ପାଇଁ ସବୁବେଳେ ଉତ୍ତରପ୍ରଦେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ତେଣୁ ବୈଜୟନ୍ତଙ୍କୁ ଦଳ ଦେଇଥିବା ବଡ ଦାୟିତ୍ୱକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଓଡ଼ିଶା ପାଇଁ ୨ ଜଣଙ୍କ ନାଁ ବିଜେପି ଘୋଷଣା କରିଛି । ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଓ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି ।

  • ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି
  • ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ
  • ଉତ୍ତରପ୍ରଦେଶ ନିର୍ବାଚନ ସମ୍ଭାଳିବେ ବୈଜୟନ୍ତ

୨୦୨୪ ନିର୍ବାଚନ ବୈତରଣୀ ପାରି ହୋଇ ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ବିଜେପି । ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବରିଷ୍ଠ ନେତାକୁ ଦାୟିତ୍ୱ ଦେଇଛନ୍ତି ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ନେତାଙ୍କୁ ଲୋକସଭା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା ପାଇଁ ୨ ଜଣଙ୍କ ନାଁ ଘୋଷଣା କରିଛି ଦଳ । ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ସୁଶ୍ରୀ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାକୁ ମିଳିଛି ଉତ୍ତରପ୍ରଦେଶ ନିର୍ବାଚନ ପରିଚାଳନା ଭଳି ଦାୟିତ୍ୱ । କାରଣ ଦେଶର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ତୁଲାଉଥିବା ଉତ୍ତରପ୍ରଦେଶରେ ନିର୍ବାଚନୀ ଗୋଟିଚାଳନା କରିବେ ବୈଜୟନ୍ତ ।

  • ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ
  • ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ କି ବୈଜୟନ୍ତ?

ରାଜ୍ୟରେ ୮୦ଟି ଲୋକସଭା ଆସନ ଥିବାରୁ ଉତ୍ତରପ୍ରଦେଶକୁ ସବୁବେଳେ ଗୁୁରୁତ୍ୱ ଦେଇଆସିଛି ବିଜେପି । ବୈଜୟନ୍ତ ପଣ୍ଡାକୁ ଏହି ରାଜ୍ୟର ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

  • ୨୦୧୪ ନିର୍ବାଚନରେ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିଲେ ଅମିତ ଶାହା
  • ୨୦୧୯ରେ ଜେ.ପି. ନଡ୍ଡା ସମ୍ଭାଳିଥିଲେ ସବୁଠୁ ବଡ଼ ରାଜ୍ୟର ନିର୍ବାଚନ
  • ଉଭୟ ନେତା ନିର୍ବାଚନ ନଲଢ଼ି ଉତ୍ତରପ୍ରଦେଶରେ ବିଜେପିକୁ ବିଜୟୀ କରିଥିଲେ

ଏହି ସମୀକରଣକୁ ଦେଖିଲେ ଏଥର ବୈଜୟନ୍ତଙ୍କୁ ଟିକେଟ ମିଳିବ କି ନାହିଁ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ବିଜେପି ସଭାପତି କହିଛନ୍ତି, କାହାକୁ ଟିକେଟ ଦିଆଯିବ, ଏହାର ନିଷ୍ପତି ନେବ ଦଳର କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡ । ତେବେ ସୂଚନାଯୋଗ୍ୟ ଯେ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ସବୁଠୁ ଆଗରେ ରହିଛି ।